ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ତାଲିକାରେ ଓଡ଼ିଶାର ୩୬୦ ଜଣଙ୍କ ନାମ

ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାଗୁଡ଼ିକର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୯୮୪ଟି ଅପରାଧିକ ମାମଲା ବିଚାରାଧୀନ ରହିଥିଲା । ରାଜନେତାଙ୍କ ବିରୋଧରେ ଆଗତ ମାମଲାର ଯାଞ୍ଚ ସିବିଆଇ ଓ ଅନ୍ୟ ଏଜେନ୍ସି ଦ୍ୱାରା କରାଇବାକୁ ଆବେଦନକାରୀ ଉଲ୍ଲେଖ କରିଥିଲେ ।

ସାଂସଦ ଓ ବିଧାୟକଙ୍କ ବିରୋଧରେ ଏତେସଂଖ୍ୟକ କ୍ରିମିନାଲ କେସ୍ ରହିଥିବା ଗତ ୪ ତାରିଖରେ ଆମିକସ କ୍ୟୁରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ଓଡ଼ିଶାର ସାଂସଦ ଓ ବିଧାୟକଙ୍କ ନାମରେ ୩୬୦ଟି ମାମଲା ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥିରେ ଅନେକ ପୂର୍ବତନ ଓ ବର୍ତ୍ତମାନର ଏମପି ଓ ଏମଏଲଏଙ୍କ ନାମ ରହିଛି । ଏହି ମାମଲାଗୁଡ଼ିକର ତ୍ୱରିତ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଆମିକସ କ୍ୟୁରି କହିଛନ୍ତି । ତେବେ ଅତୀତରେ ଏକାଧିକ ରାଜନେତା ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ଭୋଗିଛନ୍ତି । ତେଣୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ କିଛି ରାଜନେତା ଦୋଷୀ ସାବ୍ୟସ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।