fbpx

ଅଟୋ ସେକ୍ଟରରେ ଲାଗୁ ହେବ PLI Scheme: ଦିଆଯିବ ସାଢ଼େ ସାତ ଲକ୍ଷ ଲୋକଙ୍କୁ ଚାକିରି

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ବାହନ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ପକ୍ଷରୁ ଏକ ଶୁଭ ଖବର ଆସିଛି । ନିକଟରେ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ବାହନ ପ୍ରସ୍ତୁତକାରୀ କମ୍ପାନୀକୁ ପ୍ରଡକ୍ସନ ଲିଙ୍କଡ ଇନସେଣ୍ଟିଭ (ପିଏଲଆଇ) ଯୋଜନା ପାଇଁ ବଛାଯାଇଛି । ତେବେ ଏହି କମ୍ପାନୀମାନେ ୪୫ ହଜାର କୋଟିରୁ ଅଧିକ ନିବେଶ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି । ଏଥିସହ ଏହା ମାଧ୍ୟମରେ ୨ ଲକ୍ଷ ୩୦ ହଜାର କୋଟିରୁ ଅଧିକ ମୂଲ୍ୟର ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ପିଏଲଆଇ ଯୋଜନା ମାଧ୍ୟମରେ ସାଢ଼େ ସାତ ଲକ୍ଷ ଚାକିରି ସୃଷ୍ଟି ହେବ ବୋଲି କୁହାଯାଇଛି ।

ତେବେ ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଫୋର୍ଡ, ଟାଟା ମୋଟର୍ସ, ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପରି ନାମିଦାମୀ କମ୍ପାନୀ ରହିଛନ୍ତି । ପିଏଲଆଇ ଯୋଜନା ପାଇଁ ମୋଟ ୧୧୫ଟି କମ୍ପାନୀ ଆବେଦନ କରିଥିଲେ । ଏନେଇ ବିଭାଗୀୟ ସଚିବ କହିଛନ୍ତି ଯେ, ଭାରତ ସରକାର ‘ମେକ୍ ଇନ୍ ଇଣ୍ଡିଆ’ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଦୁଇଚକିଆ ଓ ତିନିଚକିଆ ଯାନର ନିର୍ମାତାଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ବଜାଜ ଅଟୋ, ହିରୋ ମୋଟୋକର୍ପ, ପିୟାଜିୟୋ ଓ ଟିଭିଏସ ମୋଟର୍ସ ପରି କମ୍ପାନୀଗୁଡ଼ିକୁ ଚୟନ କରଯାଇଛି । ସୂଚନାଯୋଗ୍ୟ ଯେ, ପିଏଲଆଇ ଯୋଜନା ମାଧ୍ୟମରେ ୬୦ ଲକ୍ଷ ଚାକିରି ସୃଷ୍ଟି ହେବ ବୋଲି ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।

Get real time updates directly on you device, subscribe now.