fbpx

୫ ବର୍ଷରେ ହଜାରେରୁ ଅଧିକ କରିଛନ୍ତି ଆତ୍ମହତ୍ୟା: କ୍ୟାନସର, ଜହର ଠାରୁ ବି ଭୟଙ୍କର ହୋଇଗଲାଣି ପ୍ରେମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଘଟିଥିବା ରାଜଧାନୀର ନନ୍ଦନବିହାରର ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ତେବେ କେବଳ ସୌମ୍ୟ ନୁହଁନ୍ତି, ଏକାଧିକ ଯୁବକ ଓ ଯୁବତୀ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରୁଥିବା ଦେଖାଯାଇଛି । ତେବେ ଏହି କ୍ଷେତ୍ରରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଥିବା ଦେଖାଯାଇଛି । ଗତ ୨୦୨୧ରୁ ୨୦୨୨ ଫେବୃଆରୀ ମାସ ମଧ୍ୟରେ ୨୧୦ ଜଣ ପୁରୁଷ ଓ ୯୦ ଜଣ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଦିନକୁ ଦିନ ଆଧୁନିକତା ଆଡ଼କୁ ସମାଜ ମାଡ଼ି ଚାଲିଥିବା ବେଳେ ପ୍ରେମ ଓ ପରକୀୟା ପ୍ରୀତି ପାଇଁ ଯୁବପୀଢ଼ିଙ୍କ ମୁଣ୍ଡ ଗଡ଼ୁଛି ।

ଜଣାପଡ଼ିଛି ଯେ, ୨୦୧୭ରେ ୨୨୧ ଜଣ, ୨୦୧୮ରେ ୨୨୪ ଜଣ, ୨୦୧୯ରେ ୨୨୦ ଜଣ, ୨୦୨୦ରେ ୨୨୯ ଜଣ ଓ ୨୦୨୧ରେ ୨୮୩ ଜଣ ଆତ୍ମହତ୍ୟା କରିଛନ୍ତି । ଚଳିତ ୨୦୨୨ରେ ୧୭ ଜଣରୁ ଅଧିକ ଆତ୍ମହତ୍ୟା କରିସାରିଲେଣି । ୨୨ଟି ଥାନାରେ ୧୫୬୦ରୁ ଅଧିକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ଆତ୍ମହତ୍ୟା ପଥକୁ ବାଛି ନେଉଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ମନୋବିଜ୍ଞାନୀଙ୍କ ମତରେ, ପୁରୁଷମାନେ ନିଜର ମନର କଥାକୁ ଅନ୍ୟ ଆଗରେ ପରିପ୍ରକାଶ କରିପାରନ୍ତି ନାହିଁ । ଯାହାଫଳରେ ସେମାନେ ଚାପର ବଶବର୍ତ୍ତୀ ହୋଇ ଏହି ପଥକୁ ଆପଣାଇ ନେଇଥାନ୍ତି । ଅନେକ କ୍ଷେତ୍ରରେ ପୁରୁଷମାନେ ସେମାନଙ୍କର ପରିବାରକୁ ଏ ବାବଦରେ ନ ଜଣାଇ ଆତ୍ମହତ୍ୟା କରିଥାନ୍ତି । ତେବେ ପୁଅ ହୁଅନ୍ତୁ ବା ଝିଅ, ପ୍ରେମ ନିଶା ବର୍ତ୍ତମାନ ସମସ୍ତଙ୍କ ପାଇଁ ଜହରଠାରୁ ଭୟଙ୍କର ହୋଇଗଲାଣି । କହିବାକୁ ଗଲେ କ୍ୟାନସର ପରି ଭୟଙ୍କର ରୋଗରେ ମଧ୍ୟ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁନଥିବ । ଏଥିରୁ ବର୍ତ୍ତିବା ପାଇଁ ହେଲେ ପିତାମାତା ସେମାନଙ୍କର ସନ୍ତାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ । ଏଥିସହ ଯୁବପୀଢ଼ି ପ୍ରେମ ଭାବନାକୁ ନେଇ ନିଜ ମାନସିକ ସ୍ତରରେ ଶକ୍ତିଶାଳୀ ରହିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.