କେହି ନାହାନ୍ତି ପଛରେ, ଏକା ଏକା ଲଢ଼ୁଛନ୍ତି ଜେଲେନସ୍କି: କ’ଣ ଘଟିବ ଆଗକୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିବସ । ଇତିମଧ୍ୟରେ ଉଭୟ ପକ୍ଷରୁ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ବେଶିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ୟୁକ୍ରେନ । ୟୁରୋପୀୟ ରାଷ୍ଟ୍ର, ଆମେରିକା ଓ ନାଟୋ ୟୁକ୍ରେନକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଶେଷ ମୁହୂର୍ତ୍ତରେ ସମସ୍ତେ କରଛଡ଼ା ଦେଇଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଥିଲେ । ତେବେ ରୁଷ ସେନା ବର୍ତ୍ତମାନ ୟୁକ୍ରେନ ରାଜଧାନୀ କିଭ୍ ଆଡ଼କୁ ମୁହାଁଇଥିବା ବେଳେ ଖୁବଶୀଘ୍ର ତାହାକୁ ନିଜ ଦଖଲକୁ ନେଇଯିବ ବୋଲି ଅନୁମାନ କରାଯାଉଛି । ଆତ୍ମସର୍ମପଣ କଲେ ହମଲା ବନ୍ଦ କରାଯିବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଥିଲେ ହେଁ ଜେଲେନସ୍କି ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ୟୁକ୍ରେନ ଉପରେ ଆକ୍ରମଣ କଲେ ରୁଷ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ଆମେରିକା ଧମକ ଦେଇ ଆସୁଥିଲା । ମାତ୍ର ଏବେ ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଆମେରିକା ଏକପ୍ରକାର ନିରବ ରହିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡ଼ି ଚାଲିଯାଇଥିବା ରୁଷ ମିଡ଼ିଆ ପକ୍ଷରୁ କୁହାଯାଇଥିଲେ ହେଁ ଜେଲେନ୍ସି ଦେଶ ଛାଡ଼ିବେ ନାହିଁ ବୋଲି ଜବାବ ଦେଇଥିଲେ । ଦେଶ ଛାଡ଼ିବା ପାଇଁ ଆମେରିକା ପକ୍ଷରୁ ଜେଲେନସ୍କିଙ୍କୁ ଅଫର ଦିଆଯାଇଥିଲା । ମାତ୍ର ଲଢ଼ିବା ପାଇଁ ଅସ୍ତ୍ର ଦରକାର, ଗାଡ଼ି ନୁହେଁ ବୋଲି ଜେଲେନସ୍କି କହିଥିଲେ ।
ତେବେ ଜେଲେନସ୍କି ଭଲ ଭାବେ ଜାଣିଛନ୍ତି ଯେ, ରୁଷ ସେନା ଆଗରେ ତାଙ୍କ ସେନା ବେଶି ସମୟ ତିଷ୍ଠି ପାରିବା ନାହିଁ । ଏହା ପରେ ବି ସେ ଧୈର୍ଯ୍ୟର ସହ ଦେଶବାସୀଙ୍କ ପାଇଁ ଆଗରେ ଠିଆ ହୋଇଛନ୍ତି । ଏଭଳି ମୁହୂର୍ତ୍ତରେ ଦେଶବାସୀଙ୍କୁ ରୁଷ ହାତରେ ଛାଡ଼ି ସେ କଦାପି ଯାଇପାରିବେ ନାହିଁ ବୋଲି କହିଛନ୍ତି । ତେବେ ଏଭଳି ସ୍ଥିତିରେ ବିଶ୍ୱର କୋଣ ଅନୁକୋଣରୁ ଜେଲେନସ୍କିଙ୍କ ନିକଟକୁ ପ୍ରଶଂସାର ଛୁଅ ଛୁଟୁଛି । ଏହି ସମୟରେ ସୋସିଆଲ ମିଡ଼ିଆରେ ଜେଲେନସ୍କିଙ୍କୁ ଅନେକ ଲୋକ ପ୍ରଶଂସା କରିଛନ୍ତି । ଏପରିକି ଯଦି ପରବର୍ତ୍ତୀ ସମୟରେ ରୁଷ ଜେଲେନସ୍କିଙ୍କୁ ମୃତ୍ୟୁଦଣ୍ଡ ଦିଏ, ତେବେ ସେ ଜଣେ ସହିଦ, ସଂଗ୍ରାମୀ, ଗଣତନ୍ତ୍ରର ରକ୍ଷାକର୍ତ୍ତା ଭାବେ ସେ ବିଶ୍ୱରେ ପରିଚିତ ହେବେ ବୋଲି ଅନେକ କହିଛନ୍ତି । ଯୁଦ୍ଧ ସମୟରେ ବିଶ୍ୱର ଅନ୍ୟ ରାଷ୍ଟ୍ରନେତାଙ୍କ ପରି ପଳାୟନ କରିବା ଅପେକ୍ଷା ଦେଶବାସୀଙ୍କ ସହ ଛିଡ଼ାହୋଇ ପ୍ରାଣବଳୀ ଦେବାକୁ ଶ୍ରେୟସ୍କର ମଣିଛନ୍ତି ଜେଲେନସ୍କି ।