fbpx

ଘଟିବ ଯୁଦ୍ଧର ପରିସମାପ୍ତି: ରୁଷିଆ ସହ ଆଲୋଚନା ପାଇଁ ୟୁକ୍ରେନ ରାଜି, ମାତ୍ର ବେଲାରୁସରେ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଲୋଚନା ପାଇଁ ଅଗ୍ରାହ୍ୟ କରିଥିବା ବେଳେ ଏବେ ଏନେଇ ସହମତି ପ୍ରକାଶ କରିଛନ୍ତି । ବେଲାରୁସର ରାଜଧାନୀ ମିନସ୍କରେ ରୁଷ ସହିତ ଆଲୋଚନା ପାଇଁ ୟୁକ୍ରେନକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ୟୁକ୍ରେନ ରାଷ୍ଟ୍ରପତି ମିନସ୍କରେ ଆଲୋଚନା ପାଇଁ ରାଜି ନଥିବା ଜଣାପଡ଼ିଛି ।

ଆଜି ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ୱାର୍ସ, ବ୍ରାତିସ୍ଲାଭା, ଇସ୍ତାନବୁଲ, ବୁଦାପେଷ୍ଟ ଓ ବାକୁରେ ଆଲୋଚନା ହୋଇପାରେ । ଅନ୍ୟ କୌଣସି ସ୍ଥାନରେ ଆଲୋଚନା ସମ୍ଭବ ନୁହେଁ । ବେଲାରୁସରେ ରୁଷ ସହିତ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ ନାହିଁ । ସେହିପରି ରୁଷୀୟ ରାଷ୍ଟ୍ରପତି ଭବନ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ, ରୁଷ ଏକ ପ୍ରତିନିଧି ମଣ୍ଡଳୀଙ୍କୁ ବେଲାରୁସ ପଠାଇଛି । ୟୁକ୍ରେନ ସହିତ ବେଲାରୁସରେ ଶାନ୍ତି ବାର୍ତ୍ତା ଆରମ୍ଭ ପାଇଁ ରୁଷ ପ୍ରସ୍ତୁତ ଅଛି । ଅନୁରୂପ ଭାବେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମୁଖପାତ୍ର କହିଛନ୍ତି ଯେ, ପ୍ରଥମରୁ ହିଁ ରୁଷ ଆଲୋଚନା ପାଇଁ ପ୍ରସ୍ତୁତ ରହିଛି, ଆମେ ଏବେ କେବଳ ୟୁକ୍ରେନର ପ୍ରତୀକ୍ଷାରେ ରହିଛୁ ।

Get real time updates directly on you device, subscribe now.