ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାକାର ପରିସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ରୁଷ ଲଗାଗତ ଆକ୍ରମଣ ଜାରି ରଖିଛି । ଏହା ଭିତରେ ୟୁକ୍ରେନର ଅନେକ ଘର, ସରକାରୀ ଭବନ, ପ୍ରଶାସନିକ ଭବନ ଆଦି ମାଟିରେ ମିଶିଗଲାଣି । ଏହା ଭିତରେ ଭାରତ ମଧ୍ୟ ସହାୟତା କରିବାକୁ ଯାଇ ପଡୋଶୀ ଦେଶ ପୋଲାଣ୍ଡ୍ ଜରିଆରେ ମେଡିସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଛି ।
ବର୍ତ୍ତମାନ ଖବର ସାମନାକୁ ଆସିଛି । ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷ ପ୍ରଚଣ୍ଡ ଆକ୍ରମଣ କରିଛି । ରୁଷ ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନ୍ ଉପରେ ରକେଟ୍ ମାଡ କରିଛି । ଏବେ ରୁଷ ଟାର୍ଗେଟରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ବିଲ୍ଡିଂ ରହିଛି । ଗତକାଲି ୟୁକ୍ରେନର ଅନ୍ୟତମ ବଡ଼ ସହର ଖେରସନ୍ କୁ ରୁଷିଆ ଅକ୍ତିଆର କରିନେଇଥିବା ସୂଚନା ରହିଛି ।
ଅନ୍ୟପଟେ ରୁଷର ପ୍ରତୀରକ୍ଷା ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଯେ, ୟୁକ୍ରେନରେ ୪୯୮ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ଓ ୧୫୯୭ ଜଣ ଆହତ ହୋଇଛନ୍ତି । ମେଜର୍ ଜେନେରାଲ୍ କୋନାଶେନକୋଭ୍ କହିଛନ୍ତି ଯେ, ୟୁକ୍ରେନର ୨୮୭୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୩୭୦୦ ଆହତ ହୋଇଛନ୍ତି । ବାକି ୫୭୨ ଜଣ ଯବାନଙ୍କୁ ବନ୍ଦୀ କରାଯାଇଛି ।