fbpx

ବିଶ୍ୱରେ ବଢ଼ୁଛି ଭାରତର ଦବଦବା, ଭାରତର ତାକତକୁ ମହାଶକ୍ତିମାନେ କରୁଛନ୍ତି ସଲାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରୁଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ବିଦେଶରେ ଫସିଛନ୍ତି ହଜାର ହଜାର ଭାରତୀୟ । ଏପରି ସ୍ଥିତିରେ ଭାରତ ନିଜର ନାଗରିକଙ୍କୁ ସୁରକ୍ଷା ପାଇଁ ଅପରେସନ ଗଙ୍ଗା ଅଭିଯାନ ଚଳାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବର୍ତ୍ତମାନ ସୁଦ୍ଧା ଏପରି ୯ଟି ଅପରେସନ ଚଳାଇ ସାରିଲେଣି । ୨୦୧୪ରୁ ୨୦୨୨ ମଧ୍ୟରେ ବିଭିନ୍ନ ଦେଶରୁ ୬୦ ଲକ୍ଷରୁ ଅଧିକ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହି ସଙ୍କଟ ସମୟରେ ଆମେରିକା ଓ ପଶ୍ଚିମ ରାଷ୍ଟ୍ରମାନେ ନିଜର ନାଗରିକଙ୍କୁ ବଞ୍ଚାଇବାକୁ କୌଣସି ପ୍ରୟାସ କରିନାହାନ୍ତି । ତେଣୁ ଦେଶବାସୀଙ୍କୁ ଭାରତର ଏହି ନୂଆ ତାକତ ବିଷୟରେ ଜାଣିବା ନିହାତି ଜରୁରୀ । ଯେଉଁଠି ସମଗ୍ର ବିଶ୍ୱ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ ବୁଝାଇବାରେ ଅସମର୍ଥ, ସେ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ କ୍ରମେ ୟୁକ୍ରେନରେ ଯୁଦ୍ଧ ୬ ଘଣ୍ଟା ପାଇଁ ଅଟକି ଯାଇଥିଲା । ଏହା କ’ଣ ଭାରତର ଶକ୍ତି ନୁହେଁ । ଏ ବିଶ୍ୱରେ ଏପରି କେତୋଟି ଦେଶ ଅଛନ୍ତି ଯୁଦ୍ଧକୁ ଏକ ମିନିଟ ପାଇଁ ରୋକିପାରିବେ?

୨୦୧୪ ଅଗଷ୍ଟ ମାସରେ ଲିବ୍ୟାରେ ଚାଲିଥିବା ଗୃହଯୁଦ୍ଧ ସମୟରେ ଭାରତ ସରକାର ୧୨ ଶହ ନାଗରିକଙ୍କୁ ଉଦ୍ଧାର କରିଥିଲେ । ୨୦୧୫ ନେପାଳ ଭୂକମ୍ପ ସମୟରେ ୫ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ବର୍ଷ ୟେମେନ ଲଢ଼େଇ ସମୟରେ ୪୬ ଶହ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ସେ ସମୟରେ ୪୧ଟି ଦେଶର ୯ ଶହ ନାଗରିକଙ୍କୁ ଭାରତ ବଞ୍ଚାଇ ପାରିଥିଲା । ବର୍ତ୍ତମାନ ସମୟରେ ୟୁକ୍ରେନରେ ଭାରତୀୟ ପତାକା ତ୍ରିରଙ୍ଗାରେ ରହି ପାକିସ୍ତାନୀ, ତୁର୍କୀ ପରି ଶତ୍ରୁ ରାଷ୍ଟ୍ରର ଛାତ୍ରଛାତ୍ରୀ ମଧ୍ୟ ସୁରକ୍ଷା ପାଇଛନ୍ତି । ୨୦୧୬ରେ ସୁଦାନ ଗୃହଯୁଦ୍ଧ ପରିସ୍ଥିତିରେ ୧୫୦ ଭାରତୀୟ ଉଦ୍ଧାର ହୋଇଥିଲେ । ମହାଶକ୍ତିମାନେ ନିଜ ନାଗରିକଙ୍କୁ ବଞ୍ଚାଇବାରେ ପଛଘୁଞ୍ଚା ଦେଉଥିବା ବେଳେ ଭାରତ ତା’ର ନାଗରିକଙ୍କ ସାଥୀରେ ପରିବାର ପରି ଛିଡ଼ା ହୋଇଛି । କୋଭିଡ ସମୟରେ ଭାରତ ସରକାର ୬୦ ଲକ୍ଷ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ । ବର୍ତ୍ତମାନ ୟୁକ୍ରେନରେ ଫସିଥିବା ୨୦ ହଜାର ଛାତ୍ରଙ୍କୁ ଭାରତ ସରକାର ୪ ଜଣ ମନ୍ତ୍ରୀଙ୍କ ସହାୟତାରେ ସ୍ୱଦେଶ ଆଣିବାର ପ୍ରୟାସ ଜାରି ରଖିଛନ୍ତି ।

ତେବେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରୁ ହିଁ ଉଭୟ ରୁଷିଆ ଓ ଆମେରିକାର ତୁଙ୍ଗନେତାମାନେ ଭାରତର ବୟାନକୁ ଚାହିଁ ବସିଥିଲେ । ଏଭଳି ସ୍ଥିତିରେ କ’ଣ କରିବା ଦରକାର, ଭାରତର ମତ କଣ? କାହାର ପକ୍ଷ ନନେଇ ପ୍ରଥମ ଦେଶ ଭାବେ ଭାରତ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲା । ଆଜି ଭାରତ ସମଗ୍ର ବିଶ୍ୱରେ ନିଜର ଶାନ୍ତିର ପ୍ରତୀକ ପାଲଟିଛି । ୭୦ ବର୍ଷ ପୂର୍ବର ଭାରତ ଆଜି ବହୁତ ଆଗକୁ ବଢ଼ି ସାରିଛି । ଆଗାମୀ ଦିନରେ ବିଶ୍ୱ ଦରବାରରେ ନିଶ୍ଚିତ ଭାବେ ଭାରତର ଦବଦବା ବଢ଼ିବ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.