fbpx

ଖାଦ୍ୟ ଖାଇବା ପରେ ତୁରନ୍ତ ଆସିଯାଉଛି କି ନିଦ? ଜାଣନ୍ତୁ କେତେ କ୍ଷତିକାରକ ହୋଇପାରେ ଏହି ଅଭ୍ୟାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସକାଳେ ବ୍ରେକ୍ ଫାଷ୍ଟ୍ କରନ୍ତି ନାହିଁ ବରଂ କେବଳ ଦ୍ୱିପହରରେ ଖାଦ୍ୟ ଖାଇଥାନ୍ତି । ଅର୍ଥାତ୍ ସକାଳେ କେବଳ ଚା’ କଫି ପିଇବା ପରେ ସିଧା ଯାଇ ଖରାବେଳେ ଖାଇଥାନ୍ତି । ଆଉ ଯେଉଁ ମାନେ ଅଫିସ୍ କିମ୍ବା କଲେଜ୍ ଯାଇଥାନ୍ତି ସେମାନେ ଟିଫିନ୍ ନେଇଥାନ୍ତି । ଆଉ ଯଦି ବା ଟିଫିନ୍ ନେଉନାହାନ୍ତି ସେମାନେ ବାହାରେ କେଉଁଠି ଖାଦ୍ୟ ଖାଆନ୍ତି । ଏପରି ସ୍ଥଳେ ସେମାନେ ଖରାବେଳର ଖାଦ୍ୟ ଖାଇବା ପରେ ନିଦୁଆ ଅନୁଭବ କରୁଥିବା ଦେଖାଯାଏ । ଆଉ ଯଦି ବା ସେମାନେ ଚେଇଁ ରୁହନ୍ତି ତାହେଲେ ସେମାନଙ୍କୁ ଥକ୍କାପଣ, ଆଖି ବନ୍ଦ ହୋଇଯିବା, ମୁଣ୍ଡବିନ୍ଧା ହେବା ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ ।

ତେବେ ଏନେଇ ବିଶେଷଜ୍ଞ ମାନେ ଅଲଗା ଅଲଗା କଥା କହିଛନ୍ତି । ସେମାନଙ୍କ କହିବା କଥା ଯେ, ସାଧାରଣତଃ ଖାଦ୍ୟ ଖାଇବା ପରେ ସାମାନ୍ୟ ରୂପେ ନିଦ ଆସିବା ସ୍ୱାଭାବିକ । ହେଲେ ଯଦି ପ୍ରତିଦିନ ଏପରି ଭାବରେ ଖାଇବା ପରେ ନିଦ ଆସେ ତାହେଲେ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସଂକେତ ଦେଇଥାଏ । ଦ୍ୱିପହରରେ ଖାଦ୍ୟ ଖାଇବା ପରେ ନିଦ ଆସିବାର କାରଣ ସମ୍ପର୍କରେ ଚାଲନ୍ତୁ ଜାଣିବା..

ଦ୍ୱିପହରରେ ଭୋଜନ କରିବା ପରେ ନିଦର ଆସିବାର କାରଣ ହେଉଛି ଅଧିକ ଖାଇବା । ବାସ୍ତବରେ ଅଗ୍ନାଶୟ ବ୍ଲଡ୍ ସୁଗର୍ ଲେବଲ୍ କୁ କଣ୍ଟ୍ରୋଲ୍ କରିବା ପାଇଁ ଇନସୁଲିନ୍ ର ପ୍ରଡକ୍ସନ୍ କରିଥାଏ । ଖାଦ୍ୟ ଯେତେ ଅଧିକ ହେବ ସେତେ ବେଶି ଇନସୁଲିନ୍ ଉତ୍ପାଦନ ହେବ । ଯାହାଦ୍ୱାରା ବ୍ଲଡ୍ ସୁଗର୍ ରେ ମଧ୍ୟ ବୃଦ୍ଧି ଘଟିବ ।

ଇନସୁଲିନ୍ ରେ ଏହି ବୃଦ୍ଧି କାରଣରୁ ଆମ ଶରୀର ସ୍ଲିପ୍ ହରମୋନ୍ ଉତ୍ପାଦନ କରେ । ଯାହା ମସ୍ତିସ୍କରେ ସେରୋଟୋନିନ୍ ଓ ମେଲାଟୋନିନ୍ ରେ ପରିବର୍ତ୍ତିତ ହୋଇଯାଏ । ଫଳରେ ନିଦ ଆସିବାକୁ ଲାଗିଥାଏ । ଆଉ ଯଦି କାହାକୁ ଏହିପରି ଭାବରେ ନିଦ ଆସୁଛି ତାହେଲେ ତାର ଶରୀରରେ ଏନର୍ଜି କମିବାକୁ ଲାଗେ ।

ଦ୍ୱିପହର ଖାଦ୍ୟରେ କ୍ଷୀର ଜାତୀୟ ଖାଦ୍ୟ, ପାଳଙ୍ଗ, ଅଣ୍ଡା, ମଞ୍ଜି, ସୋୟା ପ୍ରଡକ୍ଟ, ପନୀର୍ ଆଦିରେ ପ୍ରୋଟିନ୍ ଅଧିକ ଥାଏ । ଏହା ବ୍ୟତୀତ ଭାତ, ପାସ୍ତା, ରୁଟି, କେକ୍, କୁକିଜ୍, ମଫିନ୍ସ, କର୍ନ, ମିଠା ଆଦିରେ କାର୍ବ ଅଧିକ ଥାଏ । ତେଣୁ ଏହାକୁ ଖାଇବା ପରେ ନିଦ ଆସିଥାଏ । ଅନ୍ୟପଟେ ଯେଉଁ ମାନେ ରାତିରେ ଭଲ ଭାବରେ ଶୋଇନଥାନ୍ତି ସେମାନଙ୍କୁ ମଧ୍ୟ ଦ୍ୱିପହରରେ ଖାଦ୍ୟ ଖାଇବା ପରେ ନିଦ ଆସେ । ତେଣୁ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ।

ଖାଲି ସେତିକି ନୁହେଁ ଯେଉଁ ମାନଙ୍କର ଫିଜିକାଲ୍ ଆକ୍ଟିଭିଟି କମ୍ ସେମାନଙ୍କୁ ବି ଖାଦ୍ୟ ଖାଇବା ପରେ ନିଦ ଆସିଥାଏ । ଏହି କାରଣରୁ ଆପଣ ମାନେ ଦୈନିକ ବ୍ୟାୟାମ କରନ୍ତୁ । ଏହା ଆପଣ ଶରୀରରେ ଥକ୍କାପଣକୁ କମ୍ କରିବାରେ ସାହାଯ୍ୟ କରିବ । ତେବେ ଦ୍ୱିପହରରେ ନିଦ ଆସିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଆଡ଼କୁ ସଙ୍କେତ ଦେଇଥାଏ ।

ଦିନରେ ଅଧିକ ନିଦ ଆସିବା ଦ୍ୱାରା ଡାଇବେଟିସ୍, ଫୁଡ୍ ଆଲର୍ଜି, ସ୍ଲିପ୍ ଏପ୍ରିୟା, ଏନିମିୟା, ଥାଇରଏଡ୍ ଓ ପାଚନ ସହ ଜଡ଼ିତ ସମସ୍ୟା ଦେଖାଦେଇଥାଏ । ଯଦି ଏପରି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ । ଆଉ ଯଦି ଚାହୁଁଛନ୍ତି ଖାଇବା ପରେ ଦିନରେ ନିଦ ନ ଆସୁ ତାହେଲେ ଏହି କାମ ଗୁଡ଼ିକ କରନ୍ତୁ…

୧. ପର୍ଯ୍ୟାପ୍ତ ପାଣି ପିଅନ୍ତୁ

୨. ଜରୁରୀ ଭିଟାମିନ୍ ଓ ମିନେରାଲ୍ ସେବନ କରନ୍ତୁ

୩. ଭୋଜନର ମାତ୍ରା କମ୍ କରନ୍ତୁ

୪. ନିୟମିତ ବ୍ୟାୟାମ କରନ୍ତୁ ।

୫. ମଦ୍ୟପାନ କରନ୍ତୁ ନାହିଁ

୬. ପର୍ଯ୍ୟାପ୍ତ ଶୁଅନ୍ତୁ

Get real time updates directly on you device, subscribe now.