fbpx

ରୁଷ ସହିତ ଆପଣଙ୍କ ଭଲ ସମ୍ପର୍କ, ଯୁଦ୍ଧ ରୋକିବାକୁ କୁହନ୍ତୁ: ଭାରତ ସରକାରଙ୍କୁ ୟୁକ୍ରେନର ଅପିଲ୍

କିଭ୍‌: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଆଉ ଏବେ ରାଜଧାନୀ କିଭ୍ ଆଡ଼କୁ ବଢ଼ିବାରେ ଲାଗିଛନ୍ତି । ଋଷ୍‌ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ୟୁକ୍ରେନ୍‌ ସାହସର ସହ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ଟାଳିବାକୁ ମଧ୍ୟ ପ୍ରୟାସ କରୁଛି । ୟୁକ୍ରେନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରି କୁଲେୱା ଭାରତକୁ ଅପିଲ୍ କରି କହିଛନ୍ତି ଯେ, ଋଷ୍‌କୁ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବ ଦେଉ ।

କୁଲେୱା କହିଛନ୍ତି ଯେ, ଭାରତ ସମେତି ବାକି ଯେଉଁ ସବୁ ଦେଶର ରୁଷ ସହିତ ଭଲ ସମ୍ପର୍କ ରହିଛି ସେମାନେ ପୁଟିନଙ୍କୁ ଅପିଲ୍ କରନ୍ତୁ ଯେ, ଏହି ଯୁଦ୍ଧ ସମସ୍ତଙ୍କ ପାଇଁ ହିତର ବିରୋଧରେ । ତେଣୁ ଯୁଦ୍ଧ ବନ୍ଦ କରିବା ହେଉଛି ସମସ୍ତଙ୍କ ପାଇଁ ହିତାକାରକ । ଏକ ଟେଲିଭିଜନ୍‌ ସାକ୍ଷାତକାରରେ କୁଲେୱା ଋଷ୍‌ ଯୁଦ୍ଧ ବିରାମ ସନ୍ଧିର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି । ଏଥିସହିତ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଯିବା ପାଇଁ ଗୁଳି ଚାଳନା ବନ୍ଦ ରଖିବାକୁ ଅପିଲ୍‌ କରିଛନ୍ତି ।

ବିଦେଶ ମନ୍ତ୍ରୀ ଦେବି କରିଛନ୍ତି ଯେ ଋଷ୍‌ ସେହି ଦେଶମାନଙ୍କୁ ସହାନୁଭୂତି ଦେଖାଉଛି ଯାହାର ନାଗରିକମାନେ ୟୁକ୍ରେନ୍‌ ରେ ଫଶିଛନ୍ତି । ଋଷ୍‌ ଯଦି ସାହାଯ୍ୟ କରେ ତେବେ ବିଦେଶୀମାନଙ୍କୁ ସୁରକ୍ଷିତ ଘରକୁ ପଠାଯାଇପାରିବ । ଭାରତ, ଚିନ୍‌ ଏବଂ ନାଇଜେରିଆକୁ ସେ ନିବେଦନ କରିଛନ୍ତି ଯେ ଋଷ୍‌କୁ ଫାୟାରିଂ ବନ୍ଦ କରିବା ସହିତ ବିଦେଶୀ ନାଗରିକଙ୍କୁ ଯିବାକୁ ଦେବା ପାଇଁ ଅପିଲ୍‌ କରନ୍ତୁ ।

କୁଲେୱା କହିଛନ୍ତି, ୩୦ ବର୍ଷ ଧରି ଆଫ୍ରିକା ଏବଂ ଏସିଆର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଯୋଗ୍ୟ ଘର ସଦୃଶ ଥିଲା ୟୁକ୍ରେନ୍‌ । ବିଦେଶୀ ଛାତ୍ରଛାତ୍ରୀ ଏଠାରୁ ବାହାରିବା ପାଇଁ ୟୁକ୍ରେନ୍‌ ଟ୍ରେନ୍‌ର ବ୍ୟବସ୍ଥା କରିଛି । ହଟ୍‌ଲାଇନ୍‌ ସ୍ଥାପିତ କରିଛି । ଦୂତାବାସ ସହିତ କାମ କରିଛି । ୟୁକ୍ରେନ୍‌ ସରକାର ସେମାନଙ୍କ ପାଇଁ ଲଗାତାର କାମ କରୁଥିବା ସେ କହିଛନ୍ତି ।

 

Get real time updates directly on you device, subscribe now.