ଅସମ୍ଭାଳ ହେଲାଣି ନିଜ ଦେଶରେ ପୁଟିନଙ୍କୁ ବିରୋଧ: ଯୁଦ୍ଧରେ ମୃତ ଓ ଆହତ ଯବାନଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ ରୁଷ୍ ସରକାର

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ବି ଟାଣି ନେଇଥିଲା । ତେବେ ଆସନ୍ତାକାଲି ବେଲାରୁସରେ ଦୁଇଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ହେବ । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଯୁଦ୍ଧନୀତି ତଥା ମନୋମୁଖୀ କାର୍ଯ୍ୟକୁ ନିଜ ଦେଶରେ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ୭ ହଜାର ବିକ୍ଷୋଭକାରୀଙ୍କୁ ରୁଷ ସରକାର ଅଟକ ରଖିସାରିଥିବା ବେଳେ ଏକ ନୂଆ ଘୋଷଣା କରିଛନ୍ତି ।

ତେବେ ଏହି ଭୟଙ୍କର ଯୁଦ୍ଧରେ ଦୁଇ ଦେଶରେ ହଜାର ହଜାର ସୈନ୍ୟ ମୃତାହତ ହୋଇଛନ୍ତି । ଏପରି ସ୍ଥିତିରେ ପୀଡ଼ିତ ଯବାନଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି ପୁଟିନ । ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଯବାନଙ୍କ ପାଇଁ ୪୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ସେହିପରି ଆହତ ସୈନିକମାନେ ୨୪ ଲକ୍ଷ ଟଙ୍କା ପାଇବେ ବୋଲି ରୁଷ ସରକାର ଘୋଷଣା କରିଛନ୍ତି ।

ଏହି ଯୁଦ୍ଧରେ ୟୁକ୍ରେନରେ ରୁଷର ୪୯୮ ଜଣ ସୈନିକ ମୃତ୍ୟୁବରଣ କରିଥିବା ବେଳେ ୧୫୯୭ ଜଣ ଘାୟଲ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ବାସ୍ତବରେ ଯୁଦ୍ଧରେ କେତେ ସଂଖ୍ୟାକ ସୈନିକ ମୃତାହତ ହୋଇଛନ୍ତି ସେନେଇ ଦୁଇ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ସଂଖ୍ୟା ସାମ୍ନାକୁ ଆସୁଛି । ସୂଚନାଯୋଗ୍ୟ ଯେ, ଗତ ମାସ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହାପୂର୍ବରୁ ରୁଷ ସେନା ୟୁକ୍ରେନକୁ ଚାରିଦିଗରୁ ଘେରାଉ କରି ରଖିଥିଲେ । ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଥିବା ୟୁଏନଏଚଆରସି ପକ୍ଷରୁ କୁହାଯାଇଛି ।