ମହିଳା ବିଶ୍ୱକପ୍ କ୍ରିକେଟ୍: ପାକିସ୍ତାନକୁ ୧୦୭ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ବେ ଓଭାଲଠାରେ ଚାଲିଥିବା ମହିଳା ବିଶ୍ୱକପରେ ଆଜି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ କରିଛି । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନରେ ପରାସ୍ତ କରିଛି । ଭାରତୀୟ ସିଂହବାହିନୀଙ୍କ ବୋଲିଂ ଆଟାକରେ ଟଳିପଡ଼ିଥିଲେ ପାକିସ୍ତାନର ବ୍ୟାଟ୍ସମ୍ୟାନମାନେ । ଫଳରେ ପାକିସ୍ତାନ କଡ଼ା ସଂଘର୍ଷ କରି ମାତ୍ର ୧୩୭ ରନରେ ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ସିଡ୍ରା ଅମିନ ୩୦, ଡିଆନା ବୈଗ ୨୪, ଅଧିନାୟିକା ବିସମାହ ମାରୁଫ ୧୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ରାଜେଶ୍ୱରୀ ଗାୟକୱାଡ ୪ଟି, ସ୍ନେହ ରଣା ଓ ଝୁଲଣ ଗୋସ୍ୱାମୀ ୨ଟି ଲେଖାଏଁ, ଦିପ୍ତୀ ଶର୍ମା ଓ ମେଘନା ସିଂହ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପ୍ରଥମେ ବ୍ୟାଟିଂ ଭାରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସ୍ମୃତି ମାନ୍ଧାନା ୫୨, ପୂଜା ଭଷ୍ଟ୍ରାକର ୬୭ ଓ ସ୍ନେହ ରଣା ୫୩ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ନଶ୍ରା ସାନ୍ଧୁ ଓ ନିଦା ଡର ଦୁଇଟି ଲେଖାଏଁ, ଡିଆନା ବୈଗ, ଅନାମ ଅମିନ ଓ ଫତିମା ସାନା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଭାରତୀୟ ମହିଳା ଦଳର ଅଧିନାୟିକା ମିଥାଲି ରାଜ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।