fbpx

୭୫ ବର୍ଷ ବୟସର ନେତାଙ୍କୁ ବିଜେପି ଟିକେଟ ଦେବନି: ତେବେ ୨୦୨୪ରେ ମୋଦୀ ନିର୍ବାଚନ ଲଢ଼ିବେ ନା ନାହିଁ?

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ନିଶ୍ଚିତ ଭାବେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କାରଣ ଏହି ବର୍ଷ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ ହାସଲ କରିପାରନ୍ତି ବା ଦେଶ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ପାଇପାରେ? ଗତ ୧୯୫୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ମୋଦୀ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ମୋଦୀଙ୍କୁ ୭୨ ବର୍ଷ ଚାଲିଥିବା ବେଳେ ୨୦୨୪ ବେଳକୁ ତାଙ୍କୁ ୭୪ ପୂରି ୭୫ ବର୍ଷ ଚାଲିବ । ତେବେ ଏପରି ସ୍ଥିତିରେ ଯଦି ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ପାଞ୍ଚ ବର୍ଷ ପୂରଣ କରୁ କରୁ ସେ ୭୯ ବର୍ଷ ବୟସରେ ଉପନୀତ ହୋଇଯିବେ ।

ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ ଏଭଳି ପ୍ରଶ୍ନ କରିବା ଯଦିଓ ଠିକ୍ ନୁହେଁ, ତଥାପି ଏକଥା ଖୋଦ୍ ମୋଦୀ ଅତୀତରେ କହିଥିଲେ । ୭୫ ବର୍ଷରେ ପାଦ ଦେବା ପରେ ବିଜେପିର କୌଣସି ନେତାଙ୍କୁ ମନ୍ତ୍ରୀପଦ ମିଳିବ ନାହିଁ ବୋଲି ୨୦୧୪ ମସିହା ମେ ମାସ ୨୬ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ମୋଦୀ ଘୋଷଣା କରିଥିଲେ । ସେ ସମୟରେ ମୋଦୀଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ୭୫ ବର୍ଷ ବୟସ ମାଇଲଖୁଣ୍ଟ ପାର କରିସାରିଥିବା ବରିଷ୍ଠ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ପ୍ରମୁଖ ଦଳୀୟ ଟିକେଟରୁ ବାଦ୍ ପଡ଼ିଥିଲେ । ଅଧିକ ବୟସର ବ୍ୟକ୍ତିଙ୍କୁ ଟିକେଟ ପ୍ରଦାନ କରାନଯିବା ପାର୍ଟିର ନିଷ୍ପତ୍ତି ବୋଲି ଏବାବଦରେ ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସେ ସମୟରେ ସ୍ପଷ୍ଟୀକରଣ ଦେଇଥିଲେ ।

ତେବେ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକେଟ ଦିଆନଯିବା ଯଦି ବିଜେପିର ଦଳୀୟ ନିଷ୍ପତ୍ତି, ସେଥିରୁ ମୋଦୀ କିପରି ବାଦ୍ ପଡ଼ିବେ? ଯଦି ଏହି ନିଷ୍ପତ୍ତି ଅନ୍ୟ ବରିଷ୍ଠ ନେତାଙ୍କ ପକ୍ଷରେ କାର୍ଯ୍ୟକାରୀ ହେଉଛି, ତେବେ ମୋଦୀଙ୍କ କ୍ଷେତ୍ରରେ ମଧ୍ୟ ହୋଇପାରେ । ଏଭଳି ସ୍ଥିତିରେ ଆସନ୍ତା ୨୦୨୪ ନିର୍ବାଚନରେ ମୋଦୀ ଲଢ଼ି ନ ପାରନ୍ତି, କେବଳ ପ୍ରଚାର କରିପାରନ୍ତି । ଏହାଛଡ଼ା ସେ ଦଳର ପରାମର୍ଶଦାତା ବା ଅନ୍ୟ କିଛି କାର୍ଯ୍ୟ ସହ ଜଡ଼ିତ ରହି ପାରନ୍ତି । ହୋଇପାରେ ବିଜେପି ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କରିପାରେ । ଏପରି ମଧ୍ୟ ହୋଇପାରେ ମୋଦୀ ସ୍ୱତଃପ୍ରବୃତ ଭାବେ ରାଜନୀତିତୁ ସନ୍ନ୍ୟାସ ନେଇ ଅନ୍ୟମାନଙ୍କୁ ସୁଯୋଗ ଦେଇପାରନ୍ତି । ଉଚିତ୍ ସମୟ ଆସିଲେ ଏହି ବିଷୟ ଉପରୁ ପରଦା ହଟିବ ।

Get real time updates directly on you device, subscribe now.