fbpx

ପୁଣି ଚିନ୍ତା ବଢ଼ାଇଲା ଚୀନ: ଉହାନରୁ ଚିହ୍ନଟ ହେଲେ ସର୍ବାଧିକ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଏହି ସମୟରେ ଚୀନରୁ ଆସିଛି ଏକ ଚିନ୍ତାଜନକ ଖବର । ପୂର୍ବରୁ କୋଭିଡର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ପୁଣି ଚର୍ଚ୍ଚାରେ । ଉହାନରୁ ଅଧିକ ସଂଖ୍ୟକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଉହାନରୁ ୫୨୬ଟି ମାମଲା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୨୧୪ ଜଣଙ୍କଠାରେ ଲକ୍ଷଣ ଥିବା ବେଳେ ୩୧୨ ଜଣଙ୍କ ଠାରେ ଲକ୍ଷଣ ଦେଖାଯାଇ ନଥିଲା । ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ନିହାତିପକ୍ଷେ ଚିନ୍ତାଜନକ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ତେବେ ଚୀନରୁ ଏତେ ସଂଖ୍ୟକ ମାମଲା ଆସିବା ପରେ ଅନ୍ୟ ଦେଶମାନେ ସତର୍କ ହେବା ସହ ନାଗରିକଙ୍କୁ କୋଭିଡ୍ ନିୟମ ମାନିବାକୁ କହିଛନ୍ତି । ଚୀନର କିଙ୍ଗଡାଓ ସହରରେ ଓମିକ୍ରନର ୮୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଓମିକ୍ରନର ଶିକାର ହୋଇଥିବା ସମସ୍ତ ରୋଗୀମାନେ ଛାତ୍ର ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪୪.୬୬ କୋଟି ପାର କରିଛି । ସେମାନଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ପାଖାପାଖି ୬୦ ଲକ୍ଷରେ ପହଞ୍ଚିଛି ।

Get real time updates directly on you device, subscribe now.