ନୂଆଦିଲ୍ଲୀ: ଦିଲ୍ଳୀର କଶ୍ମୀର ଗେଟର ନିକୋଲସନରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଏକ ନିର୍ମାଣାଧୀନ କୋଠା ଭୂଷୁଡି ପଡିଥିବା ନେଇ ସୂଚନା ମିଳିଛି । ତେବେ ଏହି କୋଠାର ଭଗ୍ନାଂଶ ତଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ତେଣୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହିତ ପିସିଆର, ଦମକଳ ବାହିନୀ ଏବଂ ଉଦ୍ଧାର କାରୀ ଟିମଙ୍କୁ ନିୟୋଜିତ କରାଯାଇଛି । ତେବେ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କୁ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।
୧୭୨୪/୨୫ନମ୍ବର ପ୍ଲଟରେ ଘର ଭୂଷୁଡି ପଡିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପ୍ରଥମେ ଦମକଳ ବାହିନୀ ପହଞ୍ଚିଥିଲା । ପରେ NDRF ଏବଂ DDMA ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଭଙ୍ଗା ଘର ତଳେ ଫସି ରହିଥିବା ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ଗୁରୁଚରଣ ସିଂହ ଏହି ଘର ନିର୍ମାଣ କରୁଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ସମସ୍ତ ବ୍ୟକ୍ତି ଶ୍ରମିକ ବୋଲି କୁହାଯାଉଥିବା ବେଳେ ସେମାନଙ୍କ ବ୍ୟତୀତ ଆହୁରି ୪ ଜଣ ଏହା ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି ।