ନୂଆଦିଲ୍ଲୀ: ଭାରତରେ ବଢ଼ିଛି ଲୋକଙ୍କ ହାରାହାରି ଜୀବନ କାଳ । ବଢ଼ିଛି ରୋଗ ସହ ଲଢ଼ିବା କ୍ଷମତା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଦ୍ୱାରା ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବଡ଼ ଧରଣର ରୋଗ ବିରୋଧରେ ଲଢ଼ିବାରେ ଭାରତ ପୂର୍ବ ଅପେକ୍ଷା ଅଧିକ ସକ୍ଷମ ହୋଇପାରିଛି । ଏହା ମଧ୍ୟ ଦାବି କରାଯାଇଛି ଯେ ଭାରତରେ ରୋଗର ପ୍ରକାର ମଧ୍ୟ ବଦଳିଛି । ଇଣ୍ଡିଆ ହେଲଥ ସିଷ୍ଟମ ରିଭ୍ୟୁ ନାମକ ଏହି ରିପୋର୍ଟରେ ଭାରତର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟଙ୍କ ହାରାହାରି ବୟସ ବଢ଼ିଛି କିନ୍ତୁ ଚିକିତ୍ସା ଖର୍ଚ୍ଚ ଏବେବି ଲୋକଙ୍କ ବଜେଟ ବାହାରେ ରହିଛି । କହିବାକୁ ଗଲେ ଭାରତର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ହୋଇଥିଲେ ବି ଏବେବି ବହୁତ କାମ କରିବା ପାଇଁ ବାକି ଅଛି ।
ବଢ଼ିଛି ଭାରତୀୟଙ୍କ ହାରାହାରି ବୟସ:
୧୯୭୦ ରେ ଯେଉଁଠାରେ ଲୋକମାନେ ହାରାହାରି ୪୭ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ ସେଠି ଏବେ ପ୍ରତି ଭାରତୀୟଙ୍କ ହାରାହାରି ବୟସ ବଢ଼ି ୭୦ ବର୍ଷ ହୋଇଛି । ମହିଳାଙ୍କ ବୟସ ୨୪ ବର୍ଷ ବଢ଼ିଛି, ଯେତେବେଳେକି ପୁରୁଷଙ୍କ ବୟସ ହାରାହାରି ୨୦ ବର୍ଷ ବଢ଼ିଛି । ଏହି ହିସାବରେ ଭାରତରେ ମହିଳାଙ୍କ ବୟସ ହାରାହାରି ୭୧ ବର୍ଷ ଏବଂ ପୁରୁଷଙ୍କ ହାରାହାରି ବୟସ ୬୮ ବର୍ଷ ରହିଛି । ଅବଶ୍ୟ ଶ୍ରୀଲଙ୍କାରେ ହାରାହାରି ବୟସ ୭୪ ବର୍ଷ ଏବଂ ଚୀନରେ ହାରାହାରି ବୟସ ୭୫ ବର୍ଷ ରହିଛି ।
ନବଜାତଙ୍କ ମୃତ୍ୟୁରେ ହୋଇଛି ହ୍ରାସ:
ରିପୋର୍ଟ ଅନୁଯାୟୀ ୧୯୭୦ ରେ ୧ ହଜାର ଶିଶୁଙ୍କ ମଧ୍ୟରୁ ୧୩୨ ଶିଶୁ ଜନ୍ମ ସମୟରେ ହିଁ ମୃତ୍ୟୁବରଣ କରୁଥିଲେ । କିନ୍ତୁ ଏବେ ଏହି ସଂଖ୍ୟା କମ୍ ହୋଇଛି । ୨୦୨୦ ର ତଥ୍ୟ ଅନୁସାରେ ୧୦୦୦ ରୁ ୩୨ ନବଜାତ ଶିଶୁ ପ୍ରାଣ ହରାଉଛନ୍ତି । ଏହିଭଳି ଡିଲିଭରୀ ସମୟରେ ମହିଳାଙ୍କ ମୃତ୍ୟୁରେ ମଧ୍ୟ ହ୍ରାସ ହୋଇଛି । ୧୯୯୦ ରେ ୧୦ ହଜାର ମହିଳାଙ୍କ ମଧ୍ୟରୁ ୫୫୬ ମହିଳା ଡିଲିଭରୀ ସମୟରେ ପ୍ରାଣ ହରାଉଥିଲେ । କିନ୍ତୁ ୨୦୧୮ ବେଳକୁ ଏହି ସଂଖ୍ୟା ୧୧୩ ପ୍ରତି ୧୦ ହଜାର ହୋଇଛି ।
ଏହି ରୋଗରେ ରହୁଛନ୍ତି ପୀଡ଼ିତ:
୨୦୦୫ ରେ ଆଇରନ ଅଭାବରୁ ଭାରତୀୟଙ୍କ ମଧ୍ୟରେ କୁପୋଷଣ ସବୁଠୁ ବଡ଼ କାରଣ ରହିଥିଲା, ଏଥିରେ ପରିବର୍ତ୍ତନ ଆସିନାହିଁ । ସେହିଭଳି ମୋବାଇଲ ଫୋନର ସାଇଡ ଇଫେକ୍ଟ ଏବଂ କର୍ପୋରେଟ ଚାକିରିରେ ଭାରତୀୟଙ୍କ ମାଂସପେଶୀରେ ଯନ୍ତ୍ରଣା, ଅଣ୍ଟା ଦରଜ ଏବଂ ବେକ ଦରଜକୁ ନେଇ ଚିନ୍ତିତ ଅଛନ୍ତି । ଅବଶ୍ୟ ୧୫ ବର୍ଷରେ ଡିପ୍ରେସନ ଚତୁର୍ଥ ନମ୍ବର ରୋଗ ହୋଇଛି ।
ସ୍ୱାସ୍ଥ୍ୟ ସୁବିଧା ମାମଲାରେ ଏବେବି ଭାରତର ଅବସ୍ଥା ଖରାପ ରହିଛି । ରିପୋର୍ଟ ଅନୁଯାୟୀ ୭୦ ପ୍ରତିଶତ ଓପିଡି ସେବା, ୫୮ ପ୍ରତିଶତ ରୋଗୀଙ୍କୁ ଭର୍ତ୍ତି ଏବଂ ୯୦ ପ୍ରତିଶତ ଔଷଧ ଏବଂ ଟେଷ୍ଟ ଏବେବି ପ୍ରାଇଭେଟ ସେକ୍ଟର ହାତରେ ରହିଛି । ଅର୍ଥାତ୍ ଏବେବି ରୋଗର ଚିକିତ୍ସା ସାଧାରଣ ଲୋକର ହାତରୁ ନାହିଁ । ଡାକ୍ତର ଏବଂ ନର୍ସଙ୍କ ଅନୁପାତରେ ସୁଧାର ଆସିଛି କିନ୍ତୁ ଏବେବି ଅବସ୍ଥା ଖରାପ ରହିଛି । ସେହିଭଳି ଭାରତରେ ୧୦ ହଜାର ଲୋକଙ୍କ ପାଇଁ ୯.୨୮% ଡାକ୍ତର ଏବଂ ୨୪ ନର୍ସ ରହିଛନ୍ତି । ଏହା ସହ ରିପୋର୍ଟ ଏହା ମଧ୍ୟ କହୁଛି ଯେ ପ୍ରତି ୧୦ ହଜାର ଲୋକଙ୍କ ପାଇଁ ୯ ଫାର୍ମାସିଷ୍ଟ ରହିଛନ୍ତି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଭାରତରେ ପବ୍ଲିକ ହେଲଥ ଉପରେ ବହୁତ କମ୍ ଖର୍ଚ୍ଚ ହେଉଛି ।