ମୁମ୍ବାଇକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଯୋଜନା କରୁଛି ବିଜେପି: ସଞ୍ଜୟ ରାଉତ

ମୁମ୍ବାଇ ସହରକୁ କେନ୍ଦ୍ରଶାସିତ ଅଞ୍ଚଳ ବନାଇବାକୁ ଷଡ଼ଯନ୍ତ୍ର କରୁଛି ବିଜେପି । ଏପରିକି ଏନେଇ କେନ୍ଦ୍ର ଗୃହ ମନ୍ତ୍ରଳାୟ ତରଫରୁ ଏକ ପ୍ରସ୍ତୁତି ମଧ୍ୟ କରାଯାଇଛି । ବିଜେପି ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ । ମୁମ୍ବାଇକୁ କେନ୍ଦ୍ର ଶାସିତ ପ୍ରଦେଶ କରିବାକୁ କରାଯାଉଥିବା ପ୍ରୟାସ ସମ୍ପର୍କରେ ତାଙ୍କ ନିକଟରେ ପ୍ରମାଣ ଥିବା ସେ ଦାବି କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧୀମାନଙ୍କୁ ଏ ବିଷୟରେ ସୂଚନା ଦେଇ ରାଉତ କହିଛନ୍ତି ଯେ ବିଜେପିର ପୁର୍ବ ସାଂସଦ କିରିଟ୍ ସୋମ୍ୟା କିଛି ବିଜେପି ନେତା, ବିଲ୍ଡର ଏବଂ ବ୍ୟବସାୟୀମାନେ ମିଶି ଏଭଳି ଷଡ଼ଯନ୍ତ୍ର ରଚିଛନ୍ତି । ଏହି ଗୋଷ୍ଠୀ ମୁମ୍ବାଇକୁ ଏକ କେନ୍ଦ୍ର ଶାସିତ ପ୍ରଦେଶ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପାଖରେ ଏକ ଉପସ୍ଥାପନା ଦେଇଛନ୍ତି । ଏହି ଗୋଷ୍ଠୀର ଲୋକମାନେ ଏଭଳି କାର୍ଯ୍ୟ ପାଇଁ ଟଙ୍କା ଏକତ୍ର କରୁଥିବା ସେ କହିଛନ୍ତି । ଗତ ଦୁଇରୁ ତିନି ମାସ ଧରି ଏଭଳି ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି । ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଅବଗତ ଅଛନ୍ତି ।
ମୁମ୍ବାଇ ସହରରେ ମରାଠୀ ସଂମ୍ପ୍ରଦାୟର ଲୋକେ କମ୍ ହୋଇଗଲେଣି । ଏଭଳି ଦାବି କରି ମୁମ୍ବାଇକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବା ଲାଗି ଆଗାମି କିଛି ଦିନ ମଧ୍ୟରେ କିରିଟ୍ ସୋମ୍ୟା ନେତୃତ୍ୱାଧୀନ ଗୋଷ୍ଠୀ କୋର୍ଟଙ୍କ ଦ୍ୱାରସ୍ତ ହୋଇପାରନ୍ତି ବୋଲି ସେ ଦାବି କରିଛନ୍ତି ।

ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହିତ ମିଶି ସରକାର ଗଠନ କରିବା ପରେ ଦଶନ୍ଧୀ ଧରି ସହଯୋଗି ଥିବା ବିଜେପି-ଶିବସେନା ମଧ୍ୟରେ ଏବେ ଜୋରଦାର ବାକ୍ ଯୁଦ୍ଧ ଚାଲିଛି ।