fbpx

ରାଜ୍ୟର କଲେଜମାନଙ୍କରେ ନିଯୁକ୍ତି ପାଇବେ ୩ ହଜାର ଅଧ୍ୟାପକ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ଖୁବଶୀଘ୍ର ପୂରଣ କରାଯିବ । ନିକଟରେ ୯୦୦ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚଳିତ ବର୍ଷ ଆଉ ୩ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ବିଏଡ କଲେଗୁଡ଼ିକରେ ପାଖାପାଖି ୪୦୦ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ଉଚ୍ଚଶିକ୍ଷା ବିଭାଗର ଜଣେ ବରଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଆ, ଇତିହାସ ଓ ହିନ୍ଦୀ ବିଷୟରେ ୪୭୬ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ନିକଟରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପ୍ରକ୍ରିୟା ଠିକଭାବେ ଜାରି ରହିଲେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଏଥିସହିତ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି । ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଚିଠି ଲେଖାଯିବ ।

ରାଜ୍ୟରେ ଅଫଲାଇନ କ୍ଲାସରୁମ୍ ଶିକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ନିର୍ଦ୍ଧାରିତ ସମୟ ସୁଦ୍ଧା ସିଲାବସ୍ ସମାପ୍ତ କରିବାକୁ ଉଚ୍ଚଶିକ୍ଷା ସଚିବ ସମସ୍ତ ସରକାରୀ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ନବନିଯୁକ୍ତ ଅତିଥି ଅଧ୍ୟାପକମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଅଧ୍ୟାପକମାନେ ଆସନ୍ତା ଅଗଷ୍ଟ ମାସ ୩୧ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ । ନୂତନ ଅତିଥି ଅଧ୍ୟାପକମାନେ ସେପ୍ଟେମ୍ବର ପହିଲା ସୁଦ୍ଧା କାର୍ଯ୍ୟରେ ଯୋଗଦେବେ । ଏହାଦ୍ୱାରା ପାଠପଢ଼ା ଠିକଭାବେ ତ୍ୱରାନ୍ୱିତ ହୋଇପାରିବ । ନୂତନ ଅତିଥି ଅଧ୍ୟାପକଙ୍କ ନିଯୁକ୍ତି ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସଚିବ କହିଛନ୍ତି ।

Get real time updates directly on you device, subscribe now.