fbpx

ଭାରତରୁ ହଟିଯିବ ଗରିବୀ, ଫର୍ମୂଲା ଦେଲେ ଦେଶର ଧନୀବ୍ୟକ୍ତି ଗୌତମ ଅଦାନୀ

ନୂଆଦିଲ୍ଲୀ: ନିକଟରେ ଭାରତକୁ ନେଇ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ଆସିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ, ୨୦୧୧ରୁ ୨୦୧୯ ମଧ୍ୟରେ ଭାରତରେ ଗରିବୀ ହାର ବହୁମାତ୍ରାରେ ହ୍ରାସ ପାଇଛି । ଏହି ଅବଧି ମଧ୍ୟରେ ଦେଶରେ ଗରିବୀ ହାର ୧୨.୩ ପ୍ରତିଶତ କମ୍ ହୋଇଛି । ସହର ତୁଳନାରେ ଗ୍ରାମାଞ୍ଚଳରେ ଗରିବଙ୍କ ସଂଖ୍ୟା ଅଧିକ ହ୍ରାସ ଘଟିଛି । ୨୦୧୧ରେ ଗ୍ରାମାଞ୍ଚଳରେ ଗରିବୀ ହାର ୨୬.୩ ପ୍ରତିଶତ ଥିବାବେଳେ ୨୦୧୯ରେ ତାହା ୧୧.୬ ପ୍ରତିଶତକୁ ଖସି ଆସିଛି । ସେହିପରି ସହରରେ ଏହି ହାର ୧୪.୨ରୁ ୬.୩ ପ୍ରତିଶତକୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ତେବେ ଦେଶରୁ ଗରିବୀକୁ ହଟାଇବା ନେଇ ଭାରତର ଧନୀ ବ୍ୟକ୍ତି ଗୌତମ ଅଦାନୀ ଏକ ଉପାୟ ବତାଇଛନ୍ତି । ସେ କହିଛନ୍ତି ଯେ, ୨୦୫୦ ସୁଦ୍ଧା ଯଦି ଭାରତ ୩୦ ଟିଲିୟନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥା ପାଲଟିଯାଏ, ତେବେ ଦେଶରେ କେହି ବି ଉପାସରେ ଶୋଇବେ ନାହିଁ । ୨୦୫୦ ମସିହାରେ ପହଞ୍ଚିବାକୁ ଆମ ପାଖରେ ୧୦ ହଜାର ଦିନ ବାକି ରହିଛି । ଆମେ ଦେଶର ଅର୍ଥବ୍ୟବସ୍ଥାରେ ୨୫ ଟ୍ରିଲିୟନ ଡଲାର ଯୋଡ଼ିପାରିବା ନେଇ ଆଶା ରହିଛି । ଏହାର ଅର୍ଥ ହେଉଛି ଜିଡିପିରେ ଦୈନିକ ୨.୫ ଅରବ ଡଲାର ଯୋଡ଼ିବାକୁ ପଡ଼ିବ । ଏପରି ଭାବେ ଆମେ ଗରିବୀକୁ ସମ୍ପୂର୍ଣ୍ଣ ଭାବେ ଖତମ କରିପାରିବା ।

ଯଦି ସବୁକିଛି ଠିକଠାକ୍ ଚାଲେ ତେବେ ୧୦ ହଜାର ଦିନର ଅବଧି ମଧ୍ୟରେ ଶେୟାର ବଜାରର ପୁଞ୍ଜି ୪୦ ଟ୍ରିଲିୟନ ଡଲାରରେ ପହଞ୍ଚିଯିବ । ଏହାର ଅର୍ଥ ପ୍ରତ୍ୟେକ ଦିନ ୪ ଅରବ ଡଲାର ବୃଦ୍ଧି ପାଇବ । ୧୪୦ କୋଟି ଲୋକର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ହେଲେ ସମୟର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ ଯେ, ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମଙ୍କ ସମ୍ପତ୍ତି ଗତ ଦୁଇବର୍ଷ ମଧ୍ୟରେ ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଏପରିକି ଗୌତମଙ୍କର ନେଟୱର୍ଥ ବର୍ତ୍ତମାନର ବିଶ୍ୱର ଧନୀବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଅଧିକ ହାରରେ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.