fbpx

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ କାହା ପାଖରେ ରହିବ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କ ସମ୍ବିଧାନ ପୀଠ କରିବ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କୁ ନେଇ ଗଠିତ ସମ୍ବିଧାନ ବେଞ୍ଚ ଦିଲ୍ଲୀର ଅଧିକାରୀଙ୍କର ଟ୍ରାନ୍ସଫର ଓ ପୋଷ୍ଟିଂ ମାମଲାର ବିଚାର କରିବେ । ଦିଲ୍ଲୀର ପ୍ରଶାସନିକ ସେବାକୁ କିଏ ନିୟନ୍ତ୍ରଣ କରିବ ତାହାର ନିଷ୍ପତ୍ତି ନେବ ଏହି ବେଞ୍ଚ । ଅଧିକାରୀଙ୍କ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଦାବି ନେଇ ପୂର୍ବରୁ ଦିଲ୍ଲୀ ସରକାର ଦାବି କରି ଆସୁଥିଲେ । କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ୟାଚିକା ଦାୟର କରିଥିଲେ ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ, ଏହି ମାମଲାକୁ ଟାଳିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ୬ ଥର ପ୍ରୟାସ କରିଥିଲେ । ବର୍ତ୍ତମାନ ଏହି କେସକୁ ବଡ଼ ବେଞ୍ଚଙ୍କ ନିକଟକୁ ପଠାଇବାକୁ ଦାବି ହେଉଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଥିଲେ, ଦିଲ୍ଲୀ ଦେଶର ରାଷ୍ଟ୍ରୀୟ ରାଜଧାନୀ ହୋଇଥିବା ବେଳେ ସମଗ୍ର ବିଶ୍ୱର ନଜର ଦିଲ୍ଲୀ ଉପରେ ରହିଥାଏ । ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ଉପରେ କେନ୍ଦ୍ରର ନିୟନ୍ତ୍ରଣ ରହିବା ଜରୁରୀ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ମାତ୍ର କେନ୍ଦ୍ରର ଏହି ଆଭିମୁଖ୍ୟ ଉପରେ ଦିଲ୍ଲୀ ସରକାର ଆପତ୍ତି ଉଠାଇଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟରେ କହିଥିଲେ ଯେ, ଯେହେତୁ ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ, ତେଣୁ ତା’ର ପ୍ରଶାସନିକ ଅଧିକାରୀଙ୍କ ସ୍ଥାନାନ୍ତର ଓ ନିଯୁକ୍ତି ପ୍ରସଙ୍ଗ କେନ୍ଦ୍ର ନିକଟରେ ରହିବା ଉଚିତ୍ । ସାରା ଦୁନିଆ ନଜରରେ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ କେନ୍ଦ୍ର ନିକଟରେ ଏହି ନିୟନ୍ତ୍ରଣ ରହିଲେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବା ସହଜ ହେବ ।

Get real time updates directly on you device, subscribe now.