fbpx

ଆଉ ବଞ୍ଚି ହେବନି: ପୂର୍ବରୁ ବଢ଼ିଥିଲା ପେଟ୍ରାଲ, ଡିଜେଲ, ସିଏନଜି, କ୍ଷୀର, ଲେମ୍ବୁ, ଟମାଟୋ ଆଉ ଏବେ ମହଙ୍ଗା ହେଲା LPG

ନୂଆଦିଲ୍ଲୀ: ପୁଣି ଥରେ ସାଧାରଣ ଜନତାଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଛି । ଏଲପିଜିର ଏହି ମୂଲ୍ୟ ବୃଦ୍ଧି ସମଗ୍ର ଦେଶରେ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଆଜିର ଏହି ଦର ବୃଦ୍ଧି ଫଳରେ ଏଲପିଜି ସିଲିଣ୍ଡରର ଦାମ୍ ୯୯୯.୫୦ ଟଙ୍କାରେ ପହଞ୍ଚି ଯାଇଛି । ଗୋଟିଏ ପଟେ ପେଟ୍ରୋଲ, ଡିଜେଲ, ସିଏନଜି, କ୍ଷୀର, ଲେମ୍ବୁ, ଟମାଟୋର ଦର ବଢ଼ିଚାଲିଥିବା ବେଳେ ପୁଣି ଏଲପିଜିର ଦର ବଢ଼ିବା ଜନତାଙ୍କ ପକ୍ଷେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଏହା ପୂର୍ବରୁ ଘରୋଇ ଏଲପିଜି ଗ୍ୟାସର ମୂଲ୍ୟ ଗତ ମାର୍ଚ୍ଚ ମାସ ୨୨ ତାରିଖରେ ବଢ଼ିଥିଲା । ଫଳରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ଦାମ୍ ୯୪୯.୫୦ ଟଙ୍କାରେ ପହଞ୍ଚି ଯାଇଥିଲା । ପେଟ୍ରୋଲିୟମ ଉଦ୍ୟୋଗର ରିପୋର୍ଟ ମୁତାବକ, ଚଳିତ ଏପ୍ରିଲ ମାସରେ ଏଲିପିଜିର ବ୍ୟବହାର ୯.୧ ପ୍ରତିଶତ ହ୍ରାସ ପାଇ ୨୨ ଲକ୍ଷ ଟନ ରହିଛି, ଯାହାକି ୨୦୨୧ ମସିହା ଏପ୍ରିଲ ମାସ ତୁଳନାରେ ୫.୧ ପ୍ରତିଶତ ଅଧିକ ଅଟେ । ମାର୍ଚ୍ଚ ପୂର୍ବରୁ ଗତ ବର୍ଷ ଅକ୍ଟୋବର ୬ ତାରିଖରେ ଏଲପିଜିର ଦର ବୃଦ୍ଧି କରାଯାଇଥିଲା ।

ଗତ ୧ ତାରିଖରେ ସରକାରୀ ତେଲ କମ୍ପାନୀମାନେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିଲେ । କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୨.୫୦ ଟଙ୍କା ମହଙ୍ଗା ହୋଇଥିଲା । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ଏଲପିଜି ଦର ୨୨୫୩ରୁ ବୃଦ୍ଧି ପାଇଁ ୨୩୫୫.୫୦ ଟଙ୍କାରେ ପହଞ୍ଚି ଯାଇଥିଲା । ଅନୁରୂପ ଭାବେ ମେ ପହିଲାରେ ଜେଟ୍ ଫୁଏଲ ମଧ୍ୟ ମହଙ୍ଗା ହୋଇଥିଲା ।

Get real time updates directly on you device, subscribe now.