fbpx

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମାଣିକ ସାହା, ଖୋଲାଖୋଲି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତିକୁ ବିରୋଧ କଲେ ବିଧାୟକ

ତ୍ରିପୁରାରେ ହଟାତ୍ ଦେଖାଦେଇଥିବା ରାଜନୈକ ଘଟଣା କ୍ରମେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ୍ ଇସ୍ତଫା ଦେଇଛନ୍ତି । ଏହାପରେ ଡାକ୍ତର. ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ପକ୍ଷରୁ ଘୋଷଣା ହେବା ସହ ସେ ଏନେଇ ରାଜ୍ୟପାଳଙ୍କୁ ଦାବି ଜଣାଇଛନ୍ତି । ସାହା ଗତ ମାସରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସେ ବର୍ତ୍ତମାନ ବିଜେପିର ତ୍ରିପୁରା ରାଜ୍ୟ ସଭାପତି ଅଛନ୍ତି।

ତେବେ ଇସ୍ତଫା ପରେ ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଶ୍ରୀ ସାହାଙ୍କ ନାମ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରି ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ସହଯୋଗ କରିବେ ବୋଲି କହିଥିଲେ। ତେବେ ଯୋଜନା ମୁତାବକ ସବୁକିଛି ହୋଇ ନଥିଲା । ସୂଚନା ଅନୁସାରେ ଏହି ବୈଠକରେ କିଛି ବିଧାୟକ ଖୋଲାଖୋଲି ଭାବରେ ଏହି ନିଷ୍ପତିକୁ ବିରୋଧ କରିଥିଲେ । ଏହା ପରେ ବିଜେପି ମୁଖ୍ୟାଳୟରୁ ନାଟକୀୟ ଦୃଶ୍ୟ ରିପୋର୍ଟ କରାଯାଇଥିଲା।

ଖବର ଅନୁସାରେ ମନ୍ତ୍ରୀ ରାମ ପ୍ରସାଦ ପାଲ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ଏହା ପରେ ତାଙ୍କୁ କିଛି ବିଧାୟକ ସମର୍ଥନ କରିଥିଲେ ଏବଂ ଏହି ସମୟରେ ସେଠାରେ ବିଶୃଙ୍ଖଳାର ଖବର ଆସିଥିଲା । ଏପରିକି ରାମ ପ୍ରସାଦ କିଛି ଚେୟାର ଭାଙ୍ଗିଥିବା ଖବର ଆସିଛି । ଏହି ସମୟରେ ସେ “ମୁଁ ମରିବି’ ବୋଲି ଚିତ୍କାର କରୁଥିବା ଖବର ଆସିଛି ।

ଏଥି ସହ କିଛି ବିଧାୟକ କହିଛନ୍ତି ଯେ, କେନ୍ଦ୍ରୀୟ ନେତୃତ୍ୱ ସେମାନଙ୍କ ବିନା ପରାମର୍ଶରେ ମନଇଚ୍ଛା ଏହି ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ପୁର୍ବରୁ ସେମାନଙ୍କ ସହ କୌଣସି ପ୍ରକାର ଆଲୋଚନା କରାଯାଇନାହିଁ । ବିଧାନସଭା ଦଳର ନେତା ନିର୍ବାଚନ ପାଇଁ ବିଜେପିର ବରିଷ୍ଠ ନେତା ଭୁପେନ୍ଦ୍ର ଯାଦବ ଏବଂ ବିନୋଦ ତାୱଡେ ପର୍ଯ୍ୟବେକ୍ଷକ ଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ସାହା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଦଳର ଜଣେ ସାଧାରଣ କର୍ମୀ ଥିଲି ଏବଂ ସେପରି ରହିବି। ୬୯ ବର୍ଷୀୟ ଡେଣ୍ଟାଲ ସର୍ଜନ-ରାଜନେତା ମାର୍ଚ୍ଚ ୩୧ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

 

Get real time updates directly on you device, subscribe now.