fbpx

ଗୁପଚୁପ ଖାଇବା ପାଟିକୁ ଭାରି ସୁଆଦିଆ କିନ୍ତୁ ବଢ଼ିବ ପେଟରୋଗ: ଏଭଳି ଦୂଷିତ ଖାଦ୍ୟ ପ୍ରତି ଜନସାଧାରଣ ସତର୍କ ରହିବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କର ଯଦି ଗୁପଚୁପ୍ ଖାଇବା ଅଭ୍ୟାସ ଅଛି, ତେବେ ଆଜିଠାରୁ ଆପଣ ତାହା ଆଉ ଖାଇବେ ନାହିଁ । ଉପରକୁ ଚିକ୍କଣ ଦିଶୁଥିବାରୁ ଓ ଖାଇବାକୁ ସୁଆଦିଆ ଲାଗୁଥିବାରୁ ଅନେକ ଲୋକ ଗୁପଚୁପ ଦେଖିଲେ ଲୋଭ ସମ୍ବରଣ କରିପାରନ୍ତି ନାହିଁ । ତେବେ ଆପଣ କେବେ ଭାବିଛନ୍ତି, ଏହା କେଉଁଠି ଓ କେମିତି ତିଆରି ହେଉଛି । ଯଦି ଏହାର ପ୍ରସ୍ତୁତି ପଛର କଳାକାରନାମା ବିଷୟରେ ଆପଣ ଜାଣିବେ, ତେବେ ସାରା ଜୀବନ ଗୁପଚୁପକୁ ଆପଣ ଆଡ଼ ଆଖିରେ ଚାହିଁବେ ନାହିଁ ।

ଅଭିଯୋଗ ଆସିବା ପରେ ଆଜି କଟକର ଶଙ୍କରପୁରରେ କିଛି ଗୁପଚୁପ ବେପାରୀଙ୍କ ଘରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଖରାପ ପାଣି ଓ ଦୂଷିତ ସାମଗ୍ରୀରେ ଗୁପଚୁପ୍ ପ୍ରସ୍ତୁତ ହେଉଥିଲା । ଏଥିସହ ଅସ୍ୱାସ୍ଥ୍ୟକର ପରିବେଶରେ ଶୁଖା ଯାଇଥିବା ଗୁପଚୁପ ଉପରେ ବହୁମାତ୍ରାରେ ମାଛି ବେଢ଼ିଥିବା ଦେଖାଯାଇଥିଲା । ଏକ ଅଳିଆ ବୁହା ଗାଡ଼ିରେ ଆବର୍ଜନା ବୋହି ନେବା ପରି ଗୁପଚୁପ ପରି ଏକ ଖାଇବା ସାମଗ୍ରୀକୁ ମଧ୍ୟ ବୁହା ଯାଉଥିଲା ।

ସାଧାରଣତଃ, ଗରିବ, ବସ୍ତି ଅଞ୍ଚଳର ଲୋକମାନେ ଗୁପଚୁପ୍ ବ୍ୟବସାୟୀ କରି ନିଜର ପେଟ ପୋଷିଥାନ୍ତି । ତେଣୁ ସେମାନେ ଏହାର ପ୍ରସ୍ତୁତି ପାଇଁ ଦୂଷିତ ସାମଗ୍ରୀ ଓ ଖରାପ ପରିବେଶ ଉପରେ ନିର୍ଭରଶୀଳ ଥାଆନ୍ତି । ଯାହାଫଳରେ ଏହାର ପରୋକ୍ଷ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଥାଏ । ମଇଳା ପାଣି, ବାସି ପଚା ଆଳୁରେ ପ୍ରସ୍ତୁତ ଗୁପଚୁପ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଗୁପଚୁପ ପ୍ରସ୍ତୁତି ସମୟର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବହୁ ପରିମାଣର ଖରାପ ଗୁପଚୁପକୁ ସିଏମସି ଖାଦ୍ୟ ସୁରକ୍ଷା ଟିମ୍ ପକ୍ଷରୁ ନଷ୍ଟ କରାଯାଇଛି ।

Get real time updates directly on you device, subscribe now.