fbpx

ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମୌସୁମୀ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା ବେଳେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହିତ ଅର୍ଥମନ୍ତ୍ରୀ ଜୁଲାଇ ୩୦ ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବେ ।

ତେବେ ମୌସୁମୀ ଅଧିବେଶନ ପାଇଁ ବିଧାନସଭାକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ । ଗତଥର ପରି ଚଳିତ ଅଧିବେଶନ ସମୟରେ ବିଧାନସଭାର ଚାରିପାଖ ରାସ୍ତାକୁ ସାଧାରଣ ଲୋକଙ୍କ ଏଣ୍ଟ୍ରି ନେଇ କଟକଣା ଲାଗୁ କରାଯାଇପାରେ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ଫୋର୍ସଙ୍କୁ ମୁତୟନ କରାଯିବାର ସମ୍ଭାବନା ରହିଛି ।

ତେବେ ଆଗକୁ ବିଧାନସଭା ଅଧିବେଶନ ଆସୁଥିବା ବେଳେ ଏଥିପାଇଁ ପୋଲିସ ଡିଜି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, ଡିସିପିଙ୍କ ସହ ଅନ୍ୟ ବରିଷ୍ଠ ପଦାଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସହ ଗୁଇନ୍ଦା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.