ଆଗକୁ ରାଷ୍ଟ୍ରପତି ନିର୍ବାଚନ: ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ମୋଦୀ-ନବୀନ ଭେଟକୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଏଥିପାଇଁ ଶାସକ ବିଜେପି ଓ ବିରୋଧୀ ଶିବିର ଚଳଚଞ୍ଚଳ ହୋଇ ଉଠିଛି । ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ଭୋଟ ସଂଖ୍ୟା ନାହିଁ । ତେଣୁ ବିଜେପି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇ ସାରିଛି ।
ନିକଟରେ ନବୀନ ଦିଲ୍ଲୀ ଗସ୍ତ କରିଥିବା ବେଳେ ସେ ସମୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ସହ ଆଲୋଚନା ବିଷୟରେ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଛି । ଏହି ଗସ୍ତ ଅବସରରେ ମୋଦୀ ପାରାଦୀପ ଗସ୍ତ କରି ପାରାଦୀପ-ହରିଦାସପୁର ରେଳପଥ ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ ମୋଦୀଙ୍କ ଗସ୍ତ ନେଇ ସମ୍ଭାବନା ରହିଥିଲେ ମଧ୍ୟ କେବେ ଆସିବେ ତାହା ଚୂଡ଼ାନ୍ତ ହୋଇନାହିଁ ।
ତେବେ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଓ ଆସନ୍ତା ମାସ ୧୮ ତାରିଖରେ ଭୋଟ ହେବ । ତେବେ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ନବୀନଙ୍କର ସାକ୍ଷାତ ହେବ । ଏହି ଅବସରରେ ମୋଦୀ-ନବୀନ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲେଚାନା କରିପାରନ୍ତି । ଗତ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା ।
ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନ ପୂର୍ବ ୨୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ ପାଇଁ ଚିଠି ଲେଖିଥିଲେ । ଆସନ୍ତାକାଲି ଉକ୍ତ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ନବୀନ ଉକ୍ତ ବୈଠକରେ ଯୋଗ ଦେବେ କି ନା ସେନେଇ ସ୍ପଷ୍ଟ ହୋଇନାହିଁ । ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ତାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି ।