fbpx

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ରହସ୍ୟ…

ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାଆଡ଼ମ୍ବରରେ ପାଳନ କରାଯାଇଥାଏ ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନ ପବିତ୍ର ସ୍ନାନ ମଣ୍ଡପରେ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପାରମ୍ପରିକ ରୀତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ । ବର୍ଷରେ ଥରେ ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଜଳସ୍ନାନ କରନ୍ତି । ଅନ୍ୟ ସମୟରେ ତାଙ୍କୁ କେବଳ ମନ୍ତ୍ରସ୍ନାନ କରାଯାଇଥାଏ । ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି ।

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉତ୍ସବ ପାଳନ କରାଯାଏ । ମହାପ୍ରଭୁ ଯେତେବେଳେ ଆବିର୍ଭାବ ହୋଇଥିଲେ ଏହି ସ୍ନାନପୂର୍ଣ୍ଣିମାର ଆରମ୍ଭ ହୋଇଥିଲା । ତେଣୁ ମହାପ୍ରଭୁଙ୍କ ଏହି ସ୍ନାନପୂର୍ଣ୍ଣିମାକୁ ଆଦ୍ୟଲୀଳା ମଧ୍ୟ କୁହାଯାଇଥାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣା କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେହି ସମୟରେ ସ୍ନାନମଣ୍ଡପ ନଥିବାରୁ ଏକ କାଠରେ ନିର୍ମିତ ହୋଇଥିବା ମଞ୍ଚରେ ଶ୍ରୀଜିଉଙ୍କୁ ବିଜେ କରାଇ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ନାମରେ ବର୍ଣ୍ଣିତ ଅଛି । ଶାସ୍ତ୍ରାନୁସାରେ ୧୦୮ଟି ସୁନା କଳସରେ ଜଳ ଭରି ଦାରୁବ୍ରହ୍ମଙ୍କ ସ୍ନାନକାର୍ଯ୍ୟ ସମାପନ କରାଯାଇଥାଏ । ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କର ଆଦ୍ୟ ସ୍ନାନଲୀଳା କରାଯାଇଥାଏ । ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏହି ସ୍ନାନଲୀଳା ଦର୍ଶନ କରୁଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଇଥାଏ ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତିମାନେ ପହଣ୍ଡି ବିଜେ କରାଉଥିବାବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି । ସମସ୍ତ ନୀତିକାନ୍ତି ସରିବା ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୋଇଯାଏ । ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପରେ ଅବସ୍ଥାନ କରନ୍ତି । ଗରାବଡ଼ୁ ସୁନା କଳସ ଧରି ଶୀତଳା ଦେବୀଙ୍କ ସମ୍ମୁଖରେ ଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଏହି ସ୍ୱର୍ଣ୍ଣକୁପର ୧୦୮କଳସୀ ଜଳ ସଂଗ୍ରହ କରି ରଖାଯାଇଥାଏ । କୂପର ଜଳ ବର୍ଷ ବର୍ଷଧରି ବ୍ୟବହାର ହେଉନଥିବାରୁ ଏହି ଜଳକୁ ଅଭିମନ୍ତ୍ରିତ କରି ମହାପ୍ରଭୁଙ୍କ ସ୍ନାନନୀତିରେ ଲଗାଯାଇଥାଏ । ଅଭିମନ୍ତ୍ରିତ ହୋଇଥିବା ୧୦୮ କଳସୀ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରୁଚନା,ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରଣ କରାଯାଏ । ଏହି ମୌହଷଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ଶ୍ରୀଜିଓମାନଙ୍କୁ ସ୍ନାନ କରାଯାଇଥାଏ ।

ଏହି ୧୦୮ ସୁନା କଳସୀ ଜଳରୁ ୩୫ ଗରା ଶ୍ରୀଜଗନ୍ନାଥଙ୍କ ସ୍ନାନରେ ଲାଗିଥାଏ । ସେହିପରି ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଶୁଭଦ୍ରାଙ୍କୁ ଏବଂ ୧୮ ଗରା ସୁଦର୍ଶନଙ୍କ ସ୍ନାନ କାର୍ଯ୍ୟରେ ଲଗା ଯାଇଥାଏ । ଏହି ଦିନ ଶ୍ରୀଜିଓ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି ।ଏହାପରେ ଠାକୁରମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରନ୍ତି । ଅଣସର ପିଣ୍ଡିରେ ଶ୍ରୀଜିଓମାନେ ବିଜେ ହେବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ । ସ୍ନାପ ପୂର୍ଣ୍ଣିମା ପରଠାରୁ ୧୫ ଦିନ ଧରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ୱର ହୋଇଥାଏ । ସେଥିପାଇଁ ଅଣସରରେ ରହିଥାନ୍ତି ଶ୍ରୀଜିଓ । ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉଙ୍କର ଦର୍ଶନ ପାଇ ନଥାନ୍ତି ତେଣୁ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି ।

Get real time updates directly on you device, subscribe now.