fbpx

କିଏ ବେଶୀ ବର୍ଷ ବଞ୍ଚୁଛି: ରାଜନେତା ନା ସାଧାରଣ ଜନତା, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ: ବିଭିନ୍ନ ଦେଶର ଲୋକମାନଙ୍କର ବୟସ ଓ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସିଥାଏ । ତେବେ ପୃଥିବୀରେ ଜାପାନୀମାନେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି ବୋଲି କୁହାଯାଏ । ଯଦି ଆପଣଙ୍କୁ କୁହାଯିବ, ନେତା ଓ ଜନତାଙ୍କ ମଧ୍ୟରୁ କାହାର ଆୟୁଷ ଅଧିକ, ଏ ପ୍ରଶ୍ନର ଉତ୍ତରରେ ଆପଣ କ’ଣ କହିବେ । ବାସ୍ତବରେ ସମଗ୍ର ବିଶ୍ୱରେ ରାଜନେତାମାନେ ସାଧାରଣ ଲୋକଙ୍କ ଅପେକ୍ଷ ଅଧିକ ବର୍ଷ ବଞ୍ଚୁଛନ୍ତି । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏଭଳି ଖୁଲାସା ହୋଇଛି ।

ବୈଜ୍ଞାନିକଙ୍କ ମତରେ, ସମୟ ସହିତ ନେତା ଓ ରାଜନେତାଙ୍କ ଆୟୁଷର ବ୍ୟବଧାନ ବଢ଼ିବାରେ ଲାଗିଛି । ଊନବିଂଶ ଶତାବ୍ଦୀର ଅନ୍ତିମ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଧିକାଂଶ ଦେଶର ନେତାଙ୍କ ମୃତ୍ୟୁ ସାଧାରଣ ଥିଲା । ମାତ୍ର ବିଂଶ ଶତାବ୍ଦୀରେ ସେମାନଙ୍କର ମୃତ୍ୟୁର ଅନ୍ତର ବିଭିନ୍ନ ଦେଶରେ ବ୍ୟାପକ ଭାବେ ବଢ଼ିବାରେ ଲାଗିଥିଲା । ଅକ୍ଟୋଫୋର୍ଡ ୟୁନିଭରସିଟି ପକ୍ଷରୁ ଏହି ଷ୍ଟଡି କରାଯାଇଥିଲା ।

ଅଧ୍ୟୟନକାରୀମାନେ ଅଷ୍ଟ୍ରେଲିଆ, କାନାଡ଼ା, ଅଷ୍ଟ୍ରିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ୟୁକେ ଓ ଆମେରିକା ପରି ୧୧ଟି ଦେଶକୁ ସାମିଲ କରିଥିଲେ । ୫୭ ହଜାରରୁ ଅଧିକ ନେତାଙ୍କ ଡାଟାକୁ ନେଇ ସର୍ଭେ କରାଯାଇଥିଲା । ୧୮୧୬ରୁ ୨୦୧୭ ମଧ୍ୟରେ ଏହି ସମସ୍ତ ଦେଶର ରାଜନେତାଙ୍କ ରେକର୍ଡକୁ ଅନୁଧ୍ୟାନ କରାଯାଇଥିଲା ।

ତେବେ ସେଥିରେ ୩ରୁ ୨୧ ପ୍ରତିଶତ ମହିଳା ରହିଥିବା ବେଳେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମୟ ଧରି ଜୀବିତ ରହୁଥିବା ଦେଖାଯାଇଥିଲା । ସ୍ୱିଜରଲାଣ୍ଡରେ ନେତା-ଜନତାଙ୍କ ଜୀବନ ମୃତ୍ୟୁର ଅନ୍ତର ୩ ବର୍ଷ ରହିଥିବା ବେଳେ ଆମେରିକାରେ ଏହା ୭ ବର୍ଷ ରହିଥିଲା । ଇଟାଲିରେ ସାଧାରଣ ଲୋକଙ୍କ ମୃତ୍ୟୁ ନେତାଙ୍କ ଅପେକ୍ଷା ୨.୨ ଗୁଣ ଅଧିକ ଓ ନ୍ୟୁଜିଲାଣ୍ଡରେ ୧.୨ ଗୁଣ ଅଧିକ ହୋଇଥାଏ ।

ତେବେ ଏହା ପଛରେ ବିଭିନ୍ନ କାରଣ ରହିଛି । ବିଂଶ ଶତାବ୍ଦୀର ପ୍ରଥମ ୫୦ ବର୍ଷ ମଧ୍ୟରେ ଧନୀ, ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଅଧିକ ଧୂମ୍ରପାନ କରୁଥିଲେ । ୧୯୫୦ ମସିହାରୁ ଏହି ହାରରେ ନିମ୍ନମୁଖୀ ଦେଖିବାକୁ ମିଳିଛି । ସାଧାରଣ ଜନତାଙ୍କ ଅପେକ୍ଷା ନେତାଙ୍କ ଧୂମ୍ରପାନ ହାରରେ ହ୍ରାସ ପରିଲକ୍ଷିତ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି । ରାଜନେତାମାନେ ଅର୍ଥର ପ୍ରାଚୁର୍ଯ୍ୟରେ ମଧ୍ୟରେ ରହି ଜୀବନକୁ ଆରାମରେ ଅତିବାହିତ କରିଥାନ୍ତି, ସେଥିପାଇଁ ସେମାନେ ଦୀର୍ଘାୟୁ ଓ ସୁସ୍ଥ ରହିଥାନ୍ତି । ତେବେ ନେତା ଓ ଜନତାଙ୍କ ମଧ୍ୟରେ ଜୀବନ ଧାରଣର ଶୈଳୀରେ ଦିକୁ ଦିନ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.