fbpx

ମହାରାଷ୍ଟ୍ର ରାଜନୀତି: ବିଦ୍ରୋହୀ ବିଧାୟକଙ୍କୁ Y+ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ଶିବ ସୈନିକମାନେ ଲଗାତର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ବିଦ୍ରୋହୀ ବିଧାୟକମାନେ ନିଜର ଓ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସୁରକ୍ଷା ମାଗିଥିଲେ । ତେବେ ଏହାମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଶିବସେନା ବିଧାୟକ ଏକନାଥ ଶିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ଘରେ ଏଣିକି ସୁରକ୍ଷା କର୍ମୀ ନିୟୋଜିତ ହେବେ । ଗତ ୨୫ ତାରିଖରେ ଏକନାଥଙ୍କ ଟିମ୍ ପକ୍ଷରୁ କେନ୍ଦ୍ରୀ ଗୃହ ସଚିବ ଓ ରାଜ୍ୟପାଳଙ୍କୁ ଏନେଇ ସୁରକ୍ଷା ନେଇ ଚିଠି ଲେଖାଯାଇଥିଲା । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବିଧାୟକଙ୍କ ଘରେ ସିଆରପିଏଫ୍ ଯବାନ ନିୟୋଜିତ ହେବେ । ସମସ୍ତ ବିଧାୟକଙ୍କୁ ୱାଇ ପ୍ଲସ୍ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି ।

ତେବେ ବିଧାୟକଙ୍କ ସୁରକ୍ଷାରେ କୌଣସି ଅବହେଳା କରାଯାଇ ନାହିଁ । ଯେଉଁ ବିଧାୟକଙ୍କ ଘର ଭଙ୍ଗାରୁଜା ହୋଇଛି, ସେଠାରେ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦଦୀୟ ସାଂସଦ ନବନୀତ ରାଣା ମଧ୍ୟ ବିଦ୍ରୋହୀ ବିଧାୟକଙ୍କ ପରିବାରର ସୁରକ୍ଷା ପାଇଁ ଦାବି କରିଥିଲେ । ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ସପ୍ତାହ ଧରି ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ଏକାନାଥଙ୍କ ନେତୃତ୍ୱରେ ବହୁ ବିଧାୟକ ଗୁଆହାଟୀର ଏକ ହୋଟେଲରେ ରହିଛନ୍ତି । ସମସ୍ତ ବିଧାୟକମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନବାଜୀ କରୁଛନ୍ତି । ଏହା ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଯଥାସାଧ୍ୟ ପ୍ରୟାସ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଉଦ୍ଧବଙ୍କ ଆସନ ଏବେ ଟଳମଳ ଅବସ୍ଥାରେ ରହିଛି ।

Get real time updates directly on you device, subscribe now.