fbpx

BJPରେ ଅନେକ ଯୋଗ୍ୟ ନେତା ଅଛନ୍ତି, କିନ୍ତୁ NDA ଜଗଦୀପଙ୍କୁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କଲା, ଜାଣନ୍ତୁ ଏହା ପଛର ସିକ୍ରେଟ୍ ଗେମ୍ ପ୍ଲାନ୍

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୬ ତାରିଖରେ ଦେଶରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ବିଜେପିର ଅହି-ନକୁଳ ସମ୍ପର୍କ ରହିଥିବା ବେଳେ ଜଗଦୀପଙ୍କ ସହିତ ଦିଦିଙ୍କର ଅନେକ ବିବାଦ ରହିଥିଲା ।

ଦିଦି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରଣହୁଙ୍କାର ଦେଇ କିଛି ଦଳକୁ ଏକାଠି କରିବାରେ ଲାଗିଛନ୍ତି । ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅନେକ ଯୋଗ୍ୟ ନେତା ଥିବାବେଳେ ଜଗଦୀପଙ୍କ ନାମ ଘୋଷଣା କରି ପୁଣି ଥରେ ଏନଡିଏ ସମସ୍ତଙ୍କୁ ଚକମା ଦେଇଛି । ଏଠାରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ଜଗଦୀପଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଗଲା କାହିଁକି?

ଯଦି ଜଗଦୀପ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ୨୦୨୩ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାକୁ ସହାୟତା ମିଳିପାରିବ । ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜଗଦୀପଙ୍କୁ ପ୍ରାର୍ଥୀ କରାଯାଇଛି । ଜଗଦୀପ ଜଣେ କିଷାନ ପୁତ୍ର ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କରି ଏନଡିଏ କିଷାନଙ୍କ ସମର୍ଥନ ହାସଲ ଲକ୍ଷ୍ୟରେ ରହିଛି । ଚାରିଆଡ଼ୁ ବିରୋଧ ହେବା ପରେ କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବରରେ କୃଷି ବିଲକୁ ପ୍ରତ୍ୟାହାର କରିନେଇଥିଲେ । ତେଣୁ ଜଗଦୀପଙ୍କ ମାଧ୍ୟମରେ ଭାଜପା କିଷାନଙ୍କ ମଧ୍ୟରେ ଏକ ଭଲ ସନ୍ଦେଶ ପହଞ୍ଚାଇ ପାରିବ ।

ଜଗଦୀପଙ୍କ ନିକଟରେ ସଂସଦୀୟ ଓ ନିର୍ବାଚନ ବିଷୟରେ ଅନେକ ଜ୍ଞାନ ରହିଛି । ତେଣୁ ସେ ସଦନର କାର୍ଯ୍ୟକାଳ ସମୟରେ ଉପଯୁକ୍ତ ମାର୍ଗଦର୍ଶନ ଦେଇପାରିବେ ବୋଲି ଭାଜପାର ହୃଦବୋଧ ହୋଇଛି । ଜଗଦୀପ ରାଜ୍ୟସଭାର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଅଧିକାଂଶ ବିଲ ପାରିତ ହୋଇ ପାରିବ ବୋଲି ଏନଡିଏର ଆଶା ରହିଛି ।

Get real time updates directly on you device, subscribe now.