fbpx

ମୁଁ ଆଉ ବଞ୍ଚିବାକୁ ଚାହୁଁନି, ମୋର ପରିବାର ମୋତେ ଫେରାଇ ଦିଅ ପ୍ରଭୁ: ୮ ଜଣ ଆତ୍ମୀୟସ୍ୱଜନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଜଣେ ସଦସ୍ୟ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହି ପାରିବେ ନାହିଁ । ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ପରିବାରର ସଦସ୍ୟମାନେ ଡ୍ୟାମ ବୁଲି ମଜା ନେବାକୁ ଘରୁ ବାହରିଥିବା ବେଳେ ଆଉ ଘରକୁ ଫେରି ନଥିଲେ । ସେମାନଙ୍କର ଜୀବନର ଯାତ୍ରା ସବୁଦିନ ପାଇଁ ଶେଷ ହୋଇଯାଇଥିଲା ।

ଖବର ମୁତାବକ, ଝାରଖଣ୍ଡର କୋଡରମା ଜିଲ୍ଲାରେ ଡଙ୍ଗା ଓଲଟି ଗୋଟିଏ ପରିବାର ୮ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ଜୋରରେ ପବନ ବହିବା ସହ ଡ୍ୟାମ ପାଣିରେ ହଲଚଲ କାରଣରୁ ଡଙ୍ଗା ଓଲଟି ପଡ଼ିଥିଲା । ପରିବାରର ମୋଟ ୯ ଜଣ ଲୋକ ଘରୁ ବାହାରିଥିବା ବେଳେ ମାତ୍ର ଜଣେ ସଦସ୍ୟ ଜୀବିତ ଫେରିଥିଲେ । ସେ ଏହି ଘଟଣା ସମ୍ପର୍କରେ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ ।

ଗିରିଡିହ ଜିଲ୍ଲାର ରାଜଧନବାର ଥାନା ଅଞ୍ଚଳର ହେତୋ ଗ୍ରାମର ଉକ୍ତ ପରିବାର ଏକ ଡଙ୍ଗାରେ ଯାତ୍ରା କରୁଥିଲେ । ମାତ୍ର ହଠାତ୍ ମୃତ୍ୟୁର ଶିଖା ସେମାନଙ୍କ ଜୀବନକୁ ସବୁଦିନ ପାଇଁ ଶୁଆଇ ଦେଇଥିଲା । ଡଙ୍ଗା ଓଲଟିବା ପରେ ଦେଖୁଦେଖୁ କ୍ଷଣିକ ମଧ୍ୟରେ ସମସ୍ତେ ପାଣିରେ ବୁଡ଼ିଯାଇଥିଲେ । ଏହି ସମୟରେ ନାବିକ କୌଣସିମତେ ବାହାରି ଆସିବା ସହ ଫେରାର ହୋଇଯାଇଥିଲା ।

ପରିବାରର ଜଣେ ମାତ୍ର ସଦସ୍ୟ ପ୍ରଦୀପ ପହଁରି ପହଁରି ନିଜ ଜୀବନ ବଞ୍ଚାଇଥିଲେ । ସେ ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇଥିବା ବେଳେ ତାଙ୍କ ଆଖିରୁ ଏବେ ଲୁହ ଶୁଖୁ ନାହିଁ । ତେବେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଖୋଜ ବ୍ୟକ୍ତିଙ୍କର ରେସକ୍ୟୁ ଅପରେସନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗଭୀର ଶୋକପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.