fbpx

ଅଗଷ୍ଟ ୫ ତାରିଖ ସୁଦ୍ଧା ରାଜ୍ୟର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଜୋତା ଓ ପୋଷାକ, OSEPA ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟର ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟର ହଳେ ଜୋତା ଓ ଦୁଇହଳ ମୋଜା ଯୋଗାଇ ଦିଆଯିବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ଉଚ୍ଚ ବିଦ୍ୟାଳୟର ପିଲାମାନେ ଏଥିରେ ଉପକୃତ ହେବେ ।

ସମସ୍ତ ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ଛାତ୍ର, ଏସସି ଓ ଏସଟି ବିଭାଗ ଅଧୀନ ସ୍କୁଲର ପିଲାମାନଙ୍କୁ ଜୋତା ଓ ପୋଷାକ ଯୋଗାଇ ଦିଆଯିବ । ଆସନ୍ତା ଅଗଷ୍ଟ ମାସ ୫ ତାରିଖ ସୁଦ୍ଧା ପୋଷାକ ଓ ଜୋତା ବଣ୍ଟନ ପ୍ରକ୍ରିୟା ସମାପ୍ତ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ପୋଷାକର ରଙ୍ଗ ଓ ପରିପାଟିରେ କିଛି ପରିବର୍ତ୍ତନ ହୋଇନାହିଁ । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଧଳା ସାର୍ଟ ଓ ନୀଳ ପ୍ୟାଣ୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ କମିଜ ଓ ଧଳା ସାଲୱାର ପ୍ରଦାନ କରାଯିବ । ପିଲାମାନଙ୍କୁ କଳା ରଙ୍ଗର ଜୋତା ଓ ଦୁଇହଳ ଧଳା ମୋଜା ପ୍ରଦାନ କରାଯିବ । ଯେଉଁ ମାଧ୍ୟମିକ ସ୍କୁଲରେ ୮ମ ବା ତଳ ଶ୍ରେଣୀ ଥିବ, ସେଠାରେ ଏହି ପୋଷାକ କୋଡ୍ ଲାଗୁ ହେବ ନାହିଁ । ପିଲାମାନଙ୍କର ସାର୍ଟ, ପ୍ୟାଣ୍ଟ ଫ୍ରକର କଲରରେ ୨୦୨୨ ଲେଖାଥିବା ସ୍ଥାୟୀ ଟ୍ୟାଗ୍ ଲଗାଯିବ । ଜୋତା ଓ ପୋଷାକ କିଣା ଓ ବିତରଣର ସ୍ୱଚ୍ଛତା ଓ ସାଧୁତା ଉପରେ ନଜର ରଖିବେ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି ।

Get real time updates directly on you device, subscribe now.