ଦୁଇଟି ବଡ଼ ସରକାରୀ ବ୍ୟାଙ୍କ ବିକ୍ରି ହୋଇଯିବ! କେନ୍ଦ୍ର ସରକାର କରୁଛନ୍ତି ପ୍ରସ୍ତୁତି, ଆପଣଙ୍କର ଆକାଉଣ୍ଟ ଏଥିରେ ଥାଇପାରେ

ନୂଆଦିଲ୍ଲୀ: ଦେଶରେ ପ୍ରାଇଭେଟାଇଜେସନ ପ୍ରକ୍ରିୟା ଦ୍ରୁତ ଭାବେ ବଢ଼ିଚାଲିଛି । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏକାଧିକ କମ୍ପାନୀର ନିଲାମୀ ପ୍ରକ୍ରିୟା ଚାଲିଛି । ତେବେ ଏହି କ୍ରମରେ ସାର୍ବଜନିକ କ୍ଷେତ୍ରର ଦୁଇଟି ବ୍ୟାଙ୍କ ଘରୋଇକରଣ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାର ପୂରା ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ତେବେ ସୂଚନା ମୁତାବକ, ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ଆସନ୍ତା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇପାରେ । ଅନ୍ୟପକ୍ଷରେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ ଜାରି ରଖିଛନ୍ତି । କେନ୍ଦ୍ର ସରକାର ବ୍ୟାଙ୍କିଂ ଅଧିନିୟମରେ ସଂଶୋଧନ କରି ପିଏସୟୁ ବ୍ୟାଙ୍କରେ ବିଦେଶୀ ମାଲିକାନା ଉପରେ ୨୦ ପ୍ରତିଶତ ସୀମା ହଟାଇବାକୁ ଚାହୁଁଛନ୍ତି । ଏଥିପାଇଁ ଦୁଇଟି ସରକାରୀ ବ୍ୟାଙ୍କକୁ ଶର୍ଟ ଲିଷ୍ଟ କରାଯାଇଛି ।

ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମଞ୍ଜୁରୀ ମିଳିବା ଦରକାର । ମୌସୁମୀ ଅଧିବେଶନରେ ଏହା ସଂଶୋଧନ ହୋଇପାରେ । ସେପ୍ଟେମ୍ବର ମଧ୍ୟରେ ସରକାର ଅତିକମରେ ଗୋଟିଏ ବ୍ୟାଙ୍କର ପ୍ରାଇଭେଟାଇଜେସନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରହିଛନ୍ତି । ତେବେ ଏହି ଘରୋଇକରଣ ପ୍ରକ୍ରିୟାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସାମିଲ ହେବା ସମ୍ଭାବନା ରହିଛି ।