ପେଗାସସ୍ ମାମଲା: କେନ୍ଦ୍ର ସରକାର ସହଯୋଗ କରୁନାହିଁ- କମିଟି

ନୂଆଦିଲ୍ଲୀ : ପେଗାସସ୍ ବିବାଦର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶିତ ବୈଷୟିକ ତଥା ପର୍ଯ୍ୟବେକ୍ଷକ କମିଟି କହିଛନ୍ତି ଯେ ଏହି ଘଟଣାରେ କେନ୍ଦ୍ର ସରକାର ସହଯୋଗ କରୁନାହିଁ । ପ୍ରଧାନ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଗୁରୁବାର କହିଛନ୍ତି ଯେ ଯାଞ୍ଚ କରାଯାଇଥିବା ୨୯ରୁ ୫ ଫୋନରେ ଏକପ୍ରକାର ମାଲୱେୟାର ମିଳିଛି । ଚାରି ସପ୍ତାହ ପରେ ମାମଲାର ଶୁଣାଣି କରିବେ । ବେଞ୍ଚ କହିଛନ୍ତି ଯେ ପ୍ୟାନେଲ ଏହାର ରିପୋର୍ଟକୁ ତିନି ଭାଗରେ ଦାଖଲ କରିଛି ଏବଂ ଗୋଟିଏ ଭାଗରେ ନାଗରିକଙ୍କ ଗୋପନୀୟତା ତଥା ଦେଶର ସାଇବର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଇନରେ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି ।

ସୁପରଭାଇଜିଂ ଜଜ୍ ଆର.ଭି ରେଭେନ୍ଦରଙ୍କ ରିପୋର୍ଟକୁ ସେ ନିଜ ୱେବସାଇଟରେ ଅପଲୋଡ୍ କରିବେ । ଅନ୍ୟ ରିପୋର୍ଟର ସଂଶୋଧିତ ଅଂଶ ଦେବା ପାଇଁ ପକ୍ଷଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ବେଞ୍ଚ କହିଛନ୍ତି । ଗତ ବର୍ଷ ଅକ୍ଟୋବର ୨୭ରେ ରାଜନେତା, ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତାଙ୍କ ଉପରେ ନଜର ରଖିବା ପାଇଁ ସରକାରୀ ଏଜେନ୍ସି ଦ୍ୱାରା ଇସ୍ରାଏଲ୍ ଗୁପ୍ତଚର ପେଗାସସର ବ୍ୟବହାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।