fbpx

ସେଲ୍‌ର ସ୍ୱତନ୍ତ୍ର ଷ୍ଟିଲରେ ଆଇଏନ୍ଏସ୍ ବିକ୍ରାନ୍ତ ନିର୍ମିତ, ଜାଣନ୍ତୁ ଓଡ଼ିଶା ସହିତ କ’ଣ ରହିଛି ଲିଙ୍କ୍

ରାଉରକେଲା(ଭାସ୍କର ନ୍ୟୁଜ୍): ଦେଶର ରାଷ୍ଟ୍ରାୟତ୍ତ ମହାରତ୍ନ ଇସ୍ପାତ ଉତ୍ପାଦକ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଯୁଦ୍ଧ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ ସମସ୍ତ ଡ଼ିଏମଆର ଗ୍ରେଡ୍ ସ୍ପେସାଲିଟି ଷ୍ଟିଲ୍ ଯୋଗାଇ ଦେଇଛି । ଭାରତୀୟ ନୌସେନାର ଏହି ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ନିର୍ମାଣ ପାଇଁ କମ୍ପାନୀ ପ୍ରାୟ ୩୦ ହଜାର ଟନ୍ ଡ଼ିଏମଆର ଗ୍ରେଡ୍ ସ୍ପେସିଆଲିଟି ଷ୍ଟିଲ୍ ଯୋଗାଇ ଦେଇଛି ଏବଂ ଏହି ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବା ସହିତ ଏହା “ଆତ୍ମନିର୍ଭର ଭାରତ” ନିର୍ମାଣ ଦିଗରେ ପ୍ରମୁଖ ସହଭାଗିତା ହୋଇଛି ।

ଏହି ସ୍ୱଦେଶୀ ବିମାନ ପରିବହନକାରୀ “ଆଇଏନଏସ ବିକ୍ରାନ୍ତ” କୋଚିନ୍ ସିପିୟାର୍ଡ ଲିମିଟେଡ୍ ରୁ ୨୦୨୨ ସେପ୍ଟେମ୍ବର ୨ ତାରିଖରେ କାର୍ଯ୍ୟକ୍ଷମ ହୋଇଛି । ଏହି ସ୍ୱଦେଶୀ ପ୍ରକଳ୍ପ ପାଇଁ ସେଲ ଦ୍ୱାରା ଯୋଗାଯାଇଥିବା ଇସ୍ପାତରେ ସ୍ୱତନ୍ତ୍ର ଡ଼ିଇଏମଆର ଗ୍ରେଡ୍ ପ୍ଲେଟ୍ ଅନ୍ତର୍ଭୁକ୍ତ ରହିଛି । ଭାରତୀୟ ନୌସେନା ଏବଂ ଡ଼ିଏମଆରଏଲ ସହଯୋଗରେ ସେଲ ଦ୍ୱାରା ଏହି ଡ଼ିଏମଆର ଗ୍ରେଡ୍ ପ୍ଲେଟ୍ ଗୁଡିକ ବିକଶିତ କରାଯାଇଛି । ଜାହାଜର ହଲ୍ ଏବଂ ଭିତର ପାଇଁ ଗ୍ରେଡ୍ ୨୪୯ ଏ ଏବଂ ଫ୍ଲାଇଟ୍ ଡେକ୍ ପାଇଁ ଗ୍ରେଡ୍ ୨୪୯ ବି ଡ଼ିଏମଆର ପ୍ଲେଟ୍ ବ୍ୟବହାର କରାଯାଇଛି ।

ଏହି ଯୁଦ୍ଧ ଜାହାଜ ପାଇଁ ବଲ୍ୱ ବାର୍ ବ୍ୟତୀତ, କମ୍ପାନୀର ସ୍ୱତନ୍ତ୍ର ଇସ୍ପାତ କାରଖାନା – ଭିଲାଇ, ବୋକାରୋ ଏବଂ ରାଉରକେଲା ଦ୍ୱାରା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଇସ୍ପାତ ଯୋଗାଇ ଦିଆଯାଇଛି । ଆଇଏନଏସ ବିକ୍ରାନ୍ତ ନିର୍ମାଣରେ ବ୍ୟବହୃତ ଡ଼ିଏମଆର ପ୍ଳେଟର ଏହି ସ୍ୱତନ୍ତ୍ର ଗ୍ରେଡ୍ ଷ୍ଟିଲ୍ ଏକ ଆମଦାନୀ ବିକଳ୍ପ ଅଟେ । ଭାରତର ସ୍ୱାଧୀନତାର ୭୫ବର୍ଷର ଅମୃତ କାଳ ସମୟରେ ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ କାର୍ଯ୍ୟକ୍ଷମ ହେବା ଦେଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଏବଂ ଏହା ମଧ୍ୟ ଦେଶର ଆତ୍ମବିଶ୍ୱାସ ଏବଂ ଶକ୍ତିର ପ୍ରତୀକ ଅଟେ ।

Get real time updates directly on you device, subscribe now.