fbpx

ହରାଇ ପାରିଲାନି ପୋଲିଓ: ଦୃଢ ଇଚ୍ଛାଶକ୍ତି ଆଗରେ ଶକ୍ତିହୀନ ହେଲା ଶାରୀରିକ ଅକ୍ଷମତା

ଅନୁଗୁଳ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଦୁର୍ବଳତା । ଦୃଢ ମନୋବଳ ତାଙ୍କୁ ଆଣି ଦେଉଛି ଗୋଟିଏ ପରେ ଗୋଟିଏ ବିରାଟ ବିରାଟ ସଫଳତା । ଦିନେ ଦିବ୍ୟାଙ୍ଗ ବୋଲି ଖେଳକୁଦରୁ ଦୂରେଇ ଦେଇଥିଲେ ଶିକ୍ଷକ । କିନ୍ତୁ ଆଜି ସେହି ଦିବ୍ୟାଙ୍ଗ ପାଲଟିଛନ୍ତି ସ୍ପୋର୍ଟ୍ସ ଆଇକନ । ଆଉ ପ୍ରମାଣ କରି ଦେଖାଇଛନ୍ତି ମଣିଷ ପାଇଁ ସବୁ କିଛି ସମ୍ଭବ, ବାସ ଦରକାର ଖାଲି ପ୍ରବଳ ଇଚ୍ଛା ଆଉ ଟିକିଏ ସାହସ । ଏବେ କେବଳ ଜିଲ୍ଲା ନୁହେଁ, ସାରା ରାଜ୍ୟ ତାଙ୍କ ସଫଳତାରେ ଗର୍ବ ଅନୁଭବ କରିଛି ।

ଏ କେଉଁ ଫିଲ୍ମର କାହାଣୀ ନୁହେଁ । ଅନୁଗୁଳ ଚାଇଁପାଳ ଗ୍ରାମର ନୁରୁଲୁ ହୁସେନ ଖାନ ନାମକ ଜଣେ ବାଳକଙ୍କର ନିଛଟ ସତ କାହାଣୀ । ଗୋଟିଏ ଗୋଡ ପୋଲିଓ, ଯାହା ତାଙ୍କୁ ଜନ୍ମରୁ ଦିବ୍ୟାଙ୍ଗର ପରିଚୟ ଦେଇ ଦେଇଛି । କିନ୍ତୁ ବିଭିନ୍ନ ଖେଳ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ଅକ୍ଷମତା ସତ୍ତେ୍ୱ ପ୍ରତ୍ୟେକ ଖେଳରେ ଭାଗ ନେବା ପାଇଁ ସେ ଚାହୁଁଥିଲେ । କିନ୍ତୁ ତାଙ୍କୁ ବାରମ୍ବାର ଏଥିରୁ ବାରଣ କରି ରଖୁଥିଲେ ଶିକ୍ଷକ । ତେବେ ଶିକ୍ଷକଙ୍କୁ ବାଧ୍ୟ କରି କିମ୍ବା ନେହୁରା ହୋଇ ଖେଳରେ ଭାଗ ନିଅନ୍ତି । ଆଉ ତାଙ୍କର ଏହି ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଜି ସଫଳତାର ଶିଖରରେ ପହଞ୍ଚାଇଛି । ଯାହା ଆଗରେ ମୁଣ୍ଡ ନୁଆଁଇଛି ପୋଲିଓ ରୋଗ ଏବଂ ତାଙ୍କ ଶରୀରର ଅକ୍ଷମତା । ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବିଭିନ୍ନ ଖେଳରେ ପଦକ ହାସଲ କରି ଉଦାହରଣ ପାଲଟିଛନ୍ତି ନୁରୁଲୁ ହୁସେନ ଖାନ ।

ତେବେ ସେ ଆଜି କେବଳ ଜିଲ୍ଲା ନୁହେଁ ସାରା ରାଜ୍ୟ ପାଇଁ ପାଲଟି ଯାଇଛନ୍ତି ମଉଡମଣୀ । ପାରା ବ୍ୟାଡମିଣ୍ଟନରେ ସିଲଭର ଏବଂ ବ୍ରେଞ୍ଜ ପଦକ ହାସଲ କରି ଗୌରବ ଆଣି ଦେଇଛନ୍ତି ନୁରୁଲୁ ହୁସେନ । ଖେଳକୁ ଛାଡିଦେଲେ ସେ ବଅଁରପାଳ ବ୍ଲକରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବରେ କାମ କରନ୍ତି । ତେବେ ପ୍ରତ୍ୟେକ ଦିନ ଅଫିସରେ କାମ ସାରି ଦେଇ ରାତିରେ ୨ରୁ ୩ ଘଣ୍ଟା ଖେଳ ପାଇଁ ପରିଶ୍ରମ କରନ୍ତି ସେ । ଯାହାର ଫଳ ଆଜି ତାଙ୍କୁ ମିଳିଛି । ସାରା ରାଜ୍ୟ ତାଙ୍କୁ ନେଇ ଗର୍ବ କରୁଛି ।

Get real time updates directly on you device, subscribe now.