fbpx

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମସ୍ୟା: ଗ୍ରାମାଞ୍ଚଳ ପାଇଁ ଲାଗୁହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ବିକ୍ରି ହୋଇଥିବା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା ।

ତେବେ ଅକ୍ଟୋବର ୧ ତାରିଖରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ନମ୍ବର ପ୍ଲେଟ୍ ସ୍ଲଟ ବୁକିଂରେ ସମସ୍ୟା ଦେଖାଦେଇଥିଲା । ଏଥିସହିତି ଅର୍ଥ ପୈଠ କରୁଥିବା ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନମ୍ବର ପ୍ଲେଟ ଯୋଗାଇ ଦିଆଯାଇ ପାରିନଥିଲା । ଏହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଭିତ୍ତିଭୂମି ବ୍ୟବସ୍ଥା ନଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ । ଫଳରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନମ୍ବର ପ୍ଲେଟ୍ ସମୟସୀମା ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ଦେଖାଦେଇଛି ସମସ୍ୟା । ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହା ସମସ୍ୟା ହୋଇଛି । ତେଣୁ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ବିହିତ ପଦକ୍ଷେପ ନେବାକୁ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏବେ ନୂଆ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଥିବ, ତାହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ଶେଷ ଅଙ୍କ ୫, ୬ ଥିବା ଗାଡ଼ିର ଶେଷ ତାରିଖ ହେଉଛି ନଭେମ୍ବର ୩୦ ତାରିଖ । ଶେଷ ଅଙ୍କ ୭, ୮ ଥିବା ଗାଡ଼ିର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ । ଶେଷ ଅଙ୍କ ୯, ୦ ଥିବା ଗାଡ଼ିର ଶେଷ ତାରିଖ ହେଉଛି ୨୦୨୩ ମସିହା ଜାନୁଆରୀ ୩୧ ତାରିଖ । ଏହି ତାରିଖ ମଧ୍ୟରେ ଗାଡ଼ି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.