fbpx

ରୋଜଗାର ମେଳା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶାରେ ୩୪୪ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧନତେରସ ଭଳି ଆଜିର ପବିତ୍ର ଦିନରେ ଭିଡିଓ କନଫରେନସିଂ ଜରିଆରେ ଦେଶର ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ପ୍ରତିନିଧି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩୯ ଜଣ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସ୍ଥାୟୀ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଜୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି କଟକ ଶହୀଦ ଭବନରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି କଟକରେ ୧୦୫ଜଣଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁଙ୍କ ସହ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଓ ଖୋର୍ଦ୍ଧା ରେଳବାଇ ଡିଭିଜନର ଡିଆରଏମ ଉପସ୍ଥିତ ଥିଲେ। ବିଶେଷ କରି ୯୮ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ମିଳିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ କହିଛନ୍ତି। ନିଯୁକ୍ତି ପାଇଥିବା ଯୁବକଯୁବତୀ ନିଯୁକ୍ତି ପତ୍ର ପାଇବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି।

ଏହି ରୋଜଗାର ମେଳାରେ ପ୍ରତ୍ୟେକ ମାସରେ ୭୫ ହଜାର ଯୋଗ୍ୟଧାରୀଙ୍କୁ କେନ୍ଦ୍ର ସରକାରଙ୍କର ୩୮ଟି ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଭର୍ତ୍ତି କରାଯିବ। ଏହା ଆଗାମୀ ଦିନରେ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଗାମୀ ଦିନ ମାନଙ୍କରେ ରୋଜଗାର ମେଳା ଉତ୍ତମ ଭବିଷ୍ୟତ ପାଇଁ ଯୁବସମାଜକୁ ସମର୍ଥ କରିବ। ପ୍ରଥମ ପର୍ୟ୍ୟାୟରେ ସମଗ୍ର ଦେଶର ୭୫,୦୦୦ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ଆରମ୍ଭ କରିଛନ୍ତି। ଏହି ନିଯୁକ୍ତି ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।

Get real time updates directly on you device, subscribe now.