fbpx

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ ଆୟୋଜନ କରିବ ସ୍କିଲ ଇଣ୍ଡିଆ, ଯୁବପିଢ଼ିଙ୍କୁ ମିଳିବ ବହୁ ନିଯୁକ୍ତି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁରୂପ ଦେଶର ଯୁବପିଢ଼ିଙ୍କୁ କୌଶଳ ବିକାଶ ତାଲିମ ଦେବା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ରଣନୈତିକ କାର୍ଯ୍ୟକାରିତା ଓ ଜ୍ଞାନ ସହଯୋଗୀ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ସ୍କିଲ ଇଣ୍ଡିଆ ମିଶନ ଅଧୀନରେ କୌଶଳ ବିକାଶ ଜରିଆରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଯୋଗାଇ ଦେବା ଦ୍ବାରା ଯୁବଶକ୍ତିଙ୍କ ସଶକ୍ତିକରଣ କରାଯାଇପାରିବ। ରାଜ୍ୟରେ ପର୍ଯ୍ୟାୟକ୍ରମରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ଓଡ଼ିଶାର ସ୍ଥାନୀୟ ଯୁବକ ଓ ସମୁଦାୟଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ତେବେ ଢେଙ୍କାନାଳ ‘କୌଶଳ ମହୋତ୍ସବ’ରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଆଶାୟୀମାନେ ଏହି ଲିଙ୍କରେ ଯାଇ https://nsdcdigital.nsdcindia.org ନାମ ପଞ୍ଜିକରଣ କରିପାରିବେ ଏବଂ ବିଭିନ୍ନ ପଦପଦବୀ ନିମନ୍ତେ ସେମାନଙ୍କର ସାକ୍ଷାତକାର ପାଇଁ ଆବେଦନ ଓ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟ ବାହାରୁ ଏଫଏଣ୍ଡବି, ବୟନ, ସୌନ୍ଦର୍ଯ୍ୟ ଓ କଲ୍ୟାଣ, ସ୍ବାସ୍ଥ୍ୟସେବା, ଆଇଟି ଆଦି ୨୦ରୁ ଅଧିକ କ୍ଷେତ୍ରର ୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ। ଟେକ୍ସପ୍ରେନର୍ସ ଫେଡରେସନ, ଅର୍ବାନ କ୍ଲାପ୍‌ ଟେକ୍ନୋଲୋଜି, ହେଲ୍‌ଥ ଭିଷ୍ଟା ଇଣ୍ଡିଆ ଲିମିଟେଡ, ବାର୍ବିକ ନେସନ, ଜେବିଏମ ଅଟୋ, ଆରଜେ ଏଣ୍ଟରପ୍ରାଇଜ, ଅକାଳ ଇନଫର୍ମେସନ ସିଷ୍ଟମ୍ସ ଏବଂ ସୋଡେକ୍ସୋ ଭଳି କମ୍ପାନୀ ପୋର୍ଟାଲରେ ସେମାନଙ୍କର ଖାଲି ପଦବୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରାର୍ଥୀମାନେ ଏସବୁ ପଦବୀରେ ଆବେଦନ କରିପାରିବେ ଏବଂ କୌଶଳ ମହୋତ୍ସବରେ ସାକ୍ଷାତକାର ଦେବା ପାଇଁ ସୁଯୋଗ ପାଇପାରିବେ।

ବିଭିନ୍ନ କ୍ଷେତ୍ର କୌଶଳ ପରିଷଦ (ଏସଏସସି) ଓ କମ୍ପାନୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ କୌଶଳ ପ୍ରଦର୍ଶନୀ ମାଧ୍ୟମରେ ସେମାନଙ୍କର ସୁବିଧାସୁଯୋଗ ପ୍ରଦର୍ଶନ କରିବେ। ଏଠାରେ ପ୍ରାର୍ଥୀମାନଙ୍କୁ ଗ୍ରୁପ କାଉନସେଲିଂ ମାଧ୍ୟମରେ ମାଗଣା ସାଇକୋମେଟ୍ରିକ ପରୀକ୍ଷାରେ ଭାଗ ନେବାର ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଉଦ୍ୟୋଗ ବିଶେଷଜ୍ଞ, ପ୍ରେରଣାଦାୟୀ ବକ୍ତା, କ୍ୟାରିଅର ପରାମର୍ଶଦାତାମାନେ ଯୋଗଦେବେ ଯେଉଁମାନେ ପ୍ରାର୍ଥୀମାନଙ୍କୁ ନିଜ କ୍ୟାରିଅର ସମ୍ପର୍କରେ ସଚେତନ ନିଷ୍ପତ୍ତି ନେବାରେ ସହାୟତା କରିବେ।

 

Get real time updates directly on you device, subscribe now.