ପ୍ରବଳ ଭିଡ଼ ସାଜିଲା କାଳ: ଦଳାଚକଟାରେ ୧୫୧ ମୃତ, ୮୨ ଆହତ, ହାର୍ଟ ଆଟାକରେ ଟଳିପଡ଼ିଲେ ଅନେକ ଲୋକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ହେଲୋବିନ ଉତ୍ସବ ପାଳନ ଅବସରରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଅଘଟଣ । ରାଜଧାନୀ ସିଓଲରେ ହେଲୋବିନ ଉତ୍ସବ ପାଳନ ପାଇଁ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ । ତେବେ ପ୍ରବଳ ଭିଡ଼ କାରଣରୁ ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଫଳରେ ଲୋକମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ସମୟରେ ଡଜନ ଡଜନ ଲୋକ ହାର୍ଟ ଆଟାକର ଶିକାର ହୋଇଥିଲେ ।

ରାଜଧାଧୀର ମାର୍କେଟରେ ଚାଲିଥିବା ହେଲୋବିନ ପାର୍ଟିକୁ ବହୁସଂଖ୍ୟକ ଲୋକ ମଜା ମଜଲିସର ସହ ମନାଉଥିଲେ । ତେବେ ହଠାତ୍ ସେଠାରେ ଜମା ହୋଇଥିବା ୧ ଲକ୍ଷ ଲୋକଙ୍କ ମଧ୍ୟରେ ଭାଗଦୌଡ଼ ଦେଖିବାକୁ ମିଳିଥିଲେ । ଅନେକ ଲୋକ ରାଜରାସ୍ତାରେ ବେହୋସ୍ ହୋଇ ପଡ଼ିଯାଇଥିଲେ । ଗତକାଲି ଏହି ଘଟଣାରେ ୮୧ ଜଣଙ୍କୁ ହାର୍ଟ ଆଟାକ ଆସିଥିବା ସୂଚନା ମିଳିିଥିଲା । ତେବେ ମୃତ୍ୟୁସଂଖ୍ୟା ଏବେ ୧୫୧ରେ ପହଞ୍ଚିଥିବା ବେଳେ ୮୨ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ମେଡିକାଲ ଟିମ୍ ପହଞ୍ଚିଥିଲେ । ମାତ୍ର କେଇ ମିନିଟ ମଧ୍ୟରେ ସମଗ୍ର ଖୁସିର ମାହୋଲ ସତେ ଯେମିତି ମୃତ୍ୟୁର ମରୁଭୂମିରେ ପରିଣତ ହୋଇଯାଇଥିଲା । ଏନେଇ ସୋସିଆଲ ମିଡ଼ିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ପୋଲିସ ଫୋର୍ସ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରୁଥିବା ଦେଖାଯାଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ୪୦୦ରୁ ଅଧିକ ଜରୁରୀକାଳୀନ କର୍ମଚାରୀ ଓ ୧୪୦ ଯାନକୁ ନିୟୋଜିତ କରାଯାଇଛି ।