fbpx

ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାସକୁ ୫ ହଜାର ଟଙ୍କା ପାଇବେ ବେରୋଜଗାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଦିନକୁ ଦିନ ପ୍ରଦୂଷଣ ମାମଲା ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗ୍ୟାପ ଷ୍ଟେଜ ଥ୍ରି ନିୟମ ଲାଗୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିବା ବେଳେ ଅଚାନକ ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି । ତେବେ ଏପରି ସ୍ଥିତିରେ ଗରିବ ଶ୍ରମିକଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନଷ୍ଟ୍ରକସନ ସାଇଟରେ କାମ କରୁଥିବା ଶ୍ରମିକଙ୍କ ପାଇଁ କେଜ୍ରିୱାଲ ଏକ ବଡ଼ ଉପହାର ଘୋଷଣା କରିଛନ୍ତି । ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ସିଏମ । ଏ ବାବଦରେ ଶ୍ରମ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ-ଏନସିଆରର ବାୟୁର ଗୁଣବତ୍ତା କ୍ରମାଗତ ଭାବେ ନିମ୍ନସ୍ତରକୁ ଗତି କରୁଛି । ସେଠାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବୃଦ୍ଧି ହେବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) କିଛି ସ୍ଥାନକୁ ଛାଡ଼ି ପୂରା ଦିଲ୍ଲୀ-ଏନସିଆରରେ ନିର୍ମାଣ ଓ ଅନ୍ୟ କିଛି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ବାୟୁର ଗୁଣବତ୍ତା ହ୍ରାସ ସମସ୍ୟାକୁ ରୋକିବା ପାଇଁ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନର ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.