fbpx

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ବନ୍ଦ ହେବାକୁ ଯାଉଛି ୪୦ ହଜାର କମ୍ପାନୀ, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାରକୁ ନେଇ କେନ୍ଦ୍ର ସରକାର ଆକ୍ସନ ମୁଡ଼କୁ ଆସିଯାଇଛନ୍ତି । ଏନେଇ ପାଖାପାଖି ୪୦ ହଜାର ନିଷ୍କ୍ରିୟ କମ୍ପାନୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହିସବୁ କମ୍ପାନୀଗୁଡ଼ିକର ପଞ୍ଜୀକରଣ ଖୁବଶୀଘ୍ର ବାତିଲ କରାଯିବ । କମ୍ପାନୀର ଅଫିସରେ ତାଲା ପଡ଼ିବା ପରେ ବାକିଥିବା ସମସ୍ତ ଅର୍ଥ ଆଦାୟ କରାଯିବ । ତେବେ ଦିଲ୍ଲୀ ଓ ହରିୟାଣାର ଏକାଧିକ କମ୍ପାନୀଙ୍କ ନାମ ଏଥିରେ ସାମିଲ ରହିଥିବା କୁହାଯାଉଛି । ଏହି ଦୁଇ ରାଜ୍ୟରେ ୭୫୦୦ରୁ ଅଧିକ ପଞ୍ଜୀକୃତ କମ୍ପାନୀ ରହିଥିବା ଜଣାପଡ଼ିଛି ।

ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ମୁତାବକ, ଯେଉଁସବୁ କମ୍ପାନୀର କାରବାର ଗତ ୬ ମାସ ଧରି ନିଷ୍କ୍ରିୟ ରହିଛି, ସେମାନଙ୍କ ଉପରେ କର୍ପୋରେଟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିବ । ଏପରି କମ୍ପାନୀଗୁଡ଼ିକର ଲାଇସେନ୍ସ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରଯିବ । ଏହି କମ୍ପାନୀଗୁଡ଼ିକ ମନି ଲଣ୍ଡରିଂ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆସିଥିଲା ।

ଏହି କମ୍ପାନୀମାନେ ବେଆଇନ ଭାବେ ବିଦେଶକୁ ଅର୍ଥ ପଠାଉଥିଲେ । କମ୍ପାନୀଗୁଡ଼ିକ କଳା କାରବାରରେ ଲିପ୍ତ ରହିଥିବା ସ୍ପଷ୍ଟ ହୋଇଛି । କେନ୍ଦ୍ର ସରକାର ଏପରି କମ୍ପାନୀଗୁଡ଼ିକୁ ଚିହ୍ନିତ କରି ସେମାନଙ୍କ ଉପରେ ଲଗାତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଗତ ବର୍ଷ ମଧ୍ୟ ଏପରି ହଜାର ହଜାର କମ୍ପାନୀଙ୍କ ଉପରେ ଆକ୍ସନ ନିଆଯାଇଥିଲା । ନୋଟବନ୍ଦୀ ପରଠାରୁ ସରକାର ଏପରି କମ୍ପାନୀ ଉପରେ ନଜର ରଖି ଆସୁଛନ୍ତି । ଦେଶରେ ପାଖାପାଖି ୨୩ ଲକ୍ଷ ପଞ୍ଜୀକୃତ କମ୍ପାନୀ ରହିଥିବା ବେଳେ ବର୍ତ୍ତମାନ ୧୪ ଲକ୍ଷ କମ୍ପାନୀ କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ କମ୍ପାନୀ ସେମାନଙ୍କର କାରବାର ବନ୍ଦ କରିଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ।

Get real time updates directly on you device, subscribe now.