fbpx

T-20 World Cup: ଶ୍ରୀଲଙ୍କାକୁ ହରାଇ ସେମିରେ ପହଞ୍ଚିଲା ଇଂଲଣ୍ଡ, ଅଷ୍ଟ୍ରେଲିଆର ସ୍ୱପ୍ନ ଚୁରମାର୍

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ଆଜି ଗ୍ରୁପ-ଏ’ର ଅନ୍ତିମ ମ୍ୟାଚରେ ଇଂଲଣ୍ଡ-ଶ୍ରୀଲଙ୍କା ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ପୂର୍ବରୁ ଏହି ଗ୍ରୁପରୁ ନ୍ୟୁଜିଲାଣ୍ଡ ୭ ପଏଣ୍ଟ ହାସଲ କରି ସେମିଫାଇନାଲରେ ପହଞ୍ଚି ସାରିଛି । ତେବେ ଆଜି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ୱିତୀୟ ଟିମ୍ ଭାବେ ସେମିରେ ପହଞ୍ଚିଛି । ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୭ ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ ରନରେଟ ଦୃଷ୍ଟିରୁ ଆଗରେ ଥିବାରୁ ଇଂଲଣ୍ଡ ସେମି ଟକ୍କରରେ କଙ୍ଗାରୁକୁ ମାତ୍ ଦେବାରେ ସକ୍ଷମ ହୋଇଛି ।

ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୧ ରନ୍ ହାସଲ କରିଥିଲା । ଦଳ ତରଫରୁ ପଥୁମ ନିସଙ୍କ ସର୍ବାଧିକ ୬୭ ରନ୍ ହାସଲ କରିଥିଲେ । ସେହିପରି କୁସଲ ମେଣ୍ଡିସ ୧୮ ଓ ବି. ରାଜପାକ୍ଷା ୨୨ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପି ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେନ୍ ଷ୍ଟୋକ୍ସ, କ୍ରିସ ଓକ୍ସ, ସାମ କରାନ ଓ ଅଦିଲ ରଶିଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୪୨ ରନର ଟାର୍ଗେଟ୍ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଇଂଲଣ୍ଡର ଦୁଇ ଓପନର ଜୋସ ବଟଲର ଓ ଆଲେକ୍ସ ହେଲସ । ବଟଲର ୨୮ ରନ ଓ ହେଲସ ୪୭ ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ । ବେନ ଷ୍ଟୋକ୍ସ ୪୨ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଟପିପାରିନଥିଲେ । ଦଳ ୧୯.୪ ଓଭରରେ ୬ ୱିକେଟ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା, ୱାନିଣ୍ଡୁ ହସରଙ୍ଗା ଓ ଧନଞ୍ଜୟ ଡି’ସିଲଭା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ତେବେ ଆଜିର ବିଜୟ ପରେ ଇଂଲଣ୍ଡ ଏବେ ସେମିରେ ପହଞ୍ଚିଥିବା ବେଳେ ସମାନ ପଏଣ୍ଟ ହାସଲ କରିଥିବା ଅଷ୍ଟ୍ରେଲିଆ ଦୁର୍ବଳ ରନରେଟ ପାଇଁ ଏହି ଦୌଡ଼ରୁ ବାଦ୍ ପଡ଼ିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରୁ କାହା ସହ ଭାରତର ସେମି ଟକ୍କର ହେବ । ଆସନ୍ତାକାଲିର ମ୍ୟାଚ ଏହା ନିର୍ଦ୍ଧାରଣ କରିବ ।

Get real time updates directly on you device, subscribe now.