fbpx

ରାଜଧାନୀରୁ ହଟିଲା ପ୍ରତିବନ୍ଧକ: ପ୍ରଦୂଷଣ କମିବା ପରେ ଆୟୋଗର ନିଷ୍ପତ୍ତି, ଖୋଲିବ କି ସ୍କୁଲ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଏବେ ଆସିଛି ପରିବର୍ତ୍ତନ । ସୁଧୁରିଛି ରାଜଧାନୀର ବାୟୁମଣ୍ଡଳର ସ୍ଥିତି । ଏହାକୁ ନଜରରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟେଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳରେ ଲଗାଯାଇଥିବା ଗ୍ରେପର ଚତୁର୍ଥ ଚରଣ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ରବିବାର ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତିନି ଦିନ ପାଇଁ ଲାଗୁ ହୋଇଥିବା ଏହି ପ୍ରତିବନ୍ଧକ ଏବେ ହଟାଇ ଦିଆଯାଇଛି । ତେବେ ବର୍ତ୍ତମାନ ମଧ୍ୟ ଦିଲ୍ଲୀରେ ଧୂଆଁର ପରିମାଣ ଖୁବ ଉଚ୍ଚରେ ରହିଛି ।

ଏକ୍ୟୁଆଇରେ ସୁଧାର ଆସିବା ସଂକେତ ମଧ୍ୟରେ ସିଏକ୍ୟୁଏମର ବୈଠକ ଆୟୋଜିତ ହୋଇଛି । ଏହାକୁ ନେଇ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଏନସିଆରରେ ବେଆଇନ ବିଏସ-୪ ଇଞ୍ଜିନର ହାଲକା ଡିଜେଲ ଯାନ ଏବଂ ବିଭିନ୍ନ ଟ୍ରକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଇଛି । ତେବେ ପ୍ରଦୂଷଣ ଯୋଗୁଁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ଏବଂ ୱାର୍କ ଫ୍ରମ ହୋମ୍ କରୁଥିବା କର୍ମଚାରୀଙ୍କ ସମ୍ପର୍କରେ ସୋମବାର ଆଲୋଚନା ହୋଇପାରେ । ଏଥିପାଇଁ ଏକ ବୈଠକ କରିବେ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଳ ରାୟ । ରାଜ୍ୟରେ ବୃଦ୍ଧି ପାଉଥିବା ଏକ୍ୟୁଆଇ ଯୋଗୁଁ ଦିଲ୍ଲୀ ସରକାର ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟାନ୍ୟ ଯାନବାହନ ଉପରେ ରୋକ ଲଗାଇଥିଲେ ।

କିନ୍ତୁ ବର୍ତ୍ତମାନ ରାଜ୍ୟର ସ୍ଥିତି ସୁଧାର ଆସିିଥିବା ରେକର୍ଡ ସାମନାକୁ ଆସିଛି । ତେବେ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ଆଜି ସନ୍ଧ୍ୟାରେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ସ୍ତର ୩୩୯ରେ ଥିବା ଦେଖାଯାଇଛି । ଶନିବାର ଏହା ୩୮୧ ରହିଥିବା ବେଳେ ଶୁକ୍ରବାର ଏହା ୪୪୭ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ରେକର୍ଡ ପାଇବା ପରେ ଆୟୋଗ ତରଫରୁ କିଛି ପ୍ରତିବନ୍ଧକ ହଟାଇ ଦିଆଯାଇଛି ।

Get real time updates directly on you device, subscribe now.