Bond Policy କ’ଣ: ବିଭିନ୍ନ ରାଜ୍ୟର MBBS ଛାତ୍ର ଏହାକୁ କାହିଁକି ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର କିଛି ରାଜ୍ୟରେ ଏମବିବିଏସ ଛାତ୍ରଛାତ୍ରୀମାନେ ବଣ୍ଡ ପଲିସୀକୁ ବିରୋଧ କରୁଥିବାର ଦେଖାଯାଉଛି । ହରିୟାଣାଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହାର ବିରୋଧାଭାସ ଦେଖିବାକୁ ମିଳୁଛି । ହରିୟାଣା ସରକାରଙ୍କ ଏକ ବଣ୍ଡ ଅନୁସାରେ ଏମବିବିଏସରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ ରାଶି ଜମା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ହରିୟାଣାର ରୋହତକ ପିଜିଆଇରେ ଏମବିବିଏସ୍ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ସେହିପରି ଦିଲ୍ଲୀର ସଫଦରଜଙ୍ଗ, ଆରଏମଏଲ ଓ ଲୋକନାୟକ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଏହି ବଣ୍ଡ ନୀତି ବିରୋଧରେ ରହିଛନ୍ତି । ଦିଲ୍ଲୀର ହସ୍ପିଟାଲଗୁଡ଼ିକରେ ଡାକ୍ତରମାନେ ଏହାକୁ ବିରୋଧ କରି ହାତରେ କଳା ପଟି ବାନ୍ଧି କାର୍ଯ୍ୟ କରୁଛନ୍ତି । ତେବେ ଏହି ବଣ୍ଡ ପଲିସୀ କ’ଣ ଓ ଏହାଦ୍ୱାରା ଡାକ୍ତରଙ୍କର କ’ଣ କ୍ଷତି ଘଟିଥାଏ, ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ନୂଆ ବଣ୍ଡ ପଲିସୀ ଅନୁଯାୟୀ, ଏମବିବିଏସ୍ ଛାତ୍ରଛାତ୍ରୀମାନେ ବାର୍ଷିକ ପାଖାପାଖି ୧୦ ଲକ୍ଷ ଟଙ୍କାର ବଣ୍ଡ ଭରିବାକୁ ପଡ଼ିବ । ଅର୍ଥାତ ୪ ବର୍ଷରେ ପାଖାପାଖି ୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଡାକ୍ତରମାନେ ସରକାରଙ୍କ ଏହି ପଲିସୀକୁ ବିରୋଧ କରୁଛନ୍ତି । ଏହି ନିଷ୍ପତ୍ତିକୁ ଖୁବଶୀଘ୍ର ପ୍ରତ୍ୟାହାର କରିନେବାକୁ ପିଜିଆଇ ଛାତ୍ରଛାତ୍ରୀମାନେ ଦାବି କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଏହି ମାମଲାରେ ଦିଲ୍ଲୀର ହସ୍ପିଟାଲର ଡାକ୍ତରମାନେ ମଧ୍ୟ ପିଜିଆଇ ରୋହତକର ଏମବିବିଏସ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଛନ୍ତି ।

ଡାକ୍ତରଙ୍କ ସଂଗଠନ ଫେମାର ସଂସ୍ଥାପକ ସଦସ୍ୟଙ୍କ ମତରେ, ଏମବିବିଏସ ଛାତ୍ରଛାତ୍ରୀମାନେ ୪ ବର୍ଷରେ ୪୦ ଲକ୍ଷ ଟଙ୍କା ଜମା କରିବା ନେଇ ବଣ୍ଡ ଭରିବା ଜରୁରୀ ବୋଲି ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କାରଣରୁ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପଢ଼ିବା ଏକ ଚ୍ୟାଲେଞ୍ଜ ହୋଇଯିବ । ଏହି ପଲିସୀର ଅର୍ଥ ହେଉଛି, ଏଣିକି କେବଳ ଆର୍ଥିକ ମଜବୁତ ଶ୍ରେଣୀର ପିଲାମାନେ ଏମବିବିଏସ ପାଠ ପଢ଼ିପାରିବେ, ମାତ୍ର ଏପରି ହେବା ଆଦୌ ଉଚିତ ନୁହେଁ । କେବଳ ହରିୟାଣାରେ ଏହି ନିଷ୍ପତ୍ତି ନିଆଯାଇଛି, ଦିଲ୍ଲୀରେ ଏପରି କିଛି ପଲିସୀ ନାହିଁ । ଦିଲ୍ଲୀର ଛାତ୍ର ଓ ଡାକ୍ତରମାନେ ପିଜିଆଇ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରୁଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ସରକାର ଏହି ପଲିସୀରେ କିଛି ପରିବର୍ତ୍ତନ କରିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଏମବିବିଏସ, ଏମଡି ଓ ଏମଏସର କୋର୍ସ ପୂରା କରିବା ପରେ ସରକାରୀ ସଂସ୍ଥାରେ ସେବା ଦେବାକୁ ଚାହିଁବେ ନାହିଁ, ସେମାନଙ୍କ ପାଇଁ ଏହି ବଣ୍ଡ ଲାଗୁ ହେବ । ଛାତ୍ରଛାତ୍ରୀଙ୍କୁ ଏମଡି, ଏମଏସ ଓ ପିଜି କୋର୍ସରେ ପ୍ରବେଶ ନେଇ କୌଣସି ରୋକ ଲାଗିବ ନାହିଁ । ଆଡମିସନ ସମୟରେ କି କୋର୍ସ ସମୟରେ ବଣ୍ଡ ରାଶି ନିଆଯିବ ନାହିଁ । ଯେଉଁ ଡାକ୍ତରମାନେ ସରକାରୀ ସଂସ୍ଥାରେ ସେବା କରିବାକୁ ଅନିଚ୍ଛୁକ ଥିବେ, ସେମାନେ ଏହି ରାଶି ସାତ ବର୍ଷ ପରେ ଦେବାକୁ ପଡ଼ିବ ।