fbpx

ବାପାଙ୍କର ବୟସ ୭୦ ବର୍ଷ, ମାଆଙ୍କୁ ୫୪: ଯମଜ ପୁତ୍ର ସନ୍ତାନଙ୍କୁ ପାଇ ଖୁସିରେ ଝୁମି ଉଠିଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ଆମ ଦେଶରେ ବିବାହ ପାଇଁ ବୟସ ସର୍ବଦା ବାଧା ସାଜି ନଥାଏ । ଅନେକ ପୁରୁଷ ଓ ମହିଳା ବୟସାଧିକ୍ୟରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେଉଥିବା ଦେଖାଯାଉଛି । ତେବେ ନିକଟରେ ୭୦ ବର୍ଷୀୟ ଜଣେ ବୃଦ୍ଧ ଓ ୫୪ ବର୍ଷୀୟା ବୃଦ୍ଧା ଯମଜ ସନ୍ତାନର ଜନକ ହୋଇଛନ୍ତି । ଘରକୁ ନୂଆ ଅତିଥି ଆସିବା ଖୁସିରେ ସେମାନେ ଧୂମଧାମରେ ପୁଷ୍ପବୃଷ୍ଟି କରି ନୂଆ ଅତିଥିଙ୍କୁ ସ୍ୱାଗତ କରିଥିଲେ ।

ସୂଚନା ମୁତାବକ, ହାୱାଡ଼ା ଜିଲ୍ଲାର ତପନ ଦତ୍ତା ଓ ତାଙ୍କର ପତ୍ନୀ ରୂପା ଦତ୍ତାଙ୍କର ଏକମାତ୍ର ପୁତ୍ର ଗତ ୨୦୧୯ରେ ଟ୍ରେନ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲା । ଏକପାତ୍ର ପୁତ୍ରର ମୃତ୍ୟୁରେ ମାତା-ପିତା ଦୁଃଖରେ ଭାଙ୍ଗି ପଡ଼ିବା ସହ ଏକୁଟିଆ ଅନୁଭବ କରୁଥିଲେ । ଏହି ନିଃସଙ୍ଗତାକୁ ଦୂର କରିବା ସହ ବୃଦ୍ଧାବସ୍ଥାରେ ସେବା କରିବା ପାଇଁ ଦମ୍ପତି ଏକ ସନ୍ତାନର ଅଭାବ ଅନୁଭବ କରୁଥିଲେ । ମାତ୍ର ବୟସାଧିକ୍ୟ କାରଣରୁ ଗର୍ଭଧାରଣ କରିବା ଏକ ମୁସ୍କିଲ କାର୍ଯ୍ୟ ଥିଲା ।

ତେବେ ଏନେଇ ଦମ୍ପତି ହାୱଡ଼ାରେ ଜଣେ ଡାକ୍ତରଙ୍କ ସହ ସମ୍ପର୍କ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଦମ୍ପତି ଚିକିତ୍ସା କରିଥିଲେ । ଗର୍ଭଧାରଣ ପରେ ମାଆ ରୂପାଙ୍କର ଶାରୀରିକ ସମସ୍ୟା ଦେଖାଦେଇଥିଲା । ଏପରିକି ମହିଳାଙ୍କର ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶା ଛାଡ଼ି ଦେଇଥିଲେ । ଏହାପରେ ଦମ୍ପତି ଆଉ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଉକ୍ତ ଡାକ୍ତରଙ୍କ ଚିକିତ୍ସା ପରେ ସହରର ଏକ ଘରୋଇ ନର୍ସିଂହୋମରେ ରୂପା ଯମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।

ବର୍ତ୍ତମାନ ମାଆ ଓ ଶିଶୁ ଉଭୟେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ନବଜାତ ଶିଶୁମାନେ ବଡ଼ ହେବା ପରେ ବୃଦ୍ଧାବସ୍ଥାରେ ସେମାନଙ୍କର ସେବା କରିବେ ବୋଲି ଆଶା ବାନ୍ଧିଛନ୍ତି ଦମ୍ପତି । ସନ୍ତାନଙ୍କୁ ହସ୍ପିଟାଲରୁ ନେଇ ଘରକୁ ଆସିବା ପରେ ସେଠାରେ ସେମାନଙ୍କ ଉପରେ ଫୁଲ ବର୍ଷା କରି ସ୍ୱାଗତ କରାଯାଇଥିଲା । ତେବେ ବୃଦ୍ଧାବସ୍ଥାରେ ବେବି ପ୍ଲାନିଂ କରିବା କଥା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ନିଜର ଭବିଷ୍ୟତର ବଂଶଧରଙ୍କୁ ପାଇ ଖୁସିରେ ଅଛନ୍ତି ଦମ୍ପତି ତପନ ଓ ରୂପା ।

Get real time updates directly on you device, subscribe now.