fbpx

JNUରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର: ଛାତ୍ରଛାତ୍ରୀଙ୍କୁ ମିଳିବ PG ଓ Ph.D ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର । ଦିଲ୍ଲୀ ସ୍ଥିତ ଜବାହର ଲାଲ ନେହରୁ (ଜେଏନୟୁ) ବିଶ୍ୱିଦ୍ୟାଳୟରେ ଖୋଲିବ ଓଡ଼ିଆ ଭାଷା ଓ ଅଧ୍ୟୟନ କେନ୍ଦ୍ର । ଏହାଫଳରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଜେଏନୟୁରେ ପିଜି ଓ ପିଏଚଡି ଅଧ୍ୟୟନ କରିବାର ସୁଯୋଗ ପାଇବେ । ଜେଏନୟୁରେ ଥିବା ଆଦିକବି ଶାରଳା ଦାସ ଓଡ଼ିଆ ଅଧ୍ୟୟନ ଚେୟାରକୁ ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣାର ସ୍ୱତନ୍ତ୍ର କେନ୍ଦ୍ର ଭାବେ ରୂପାନ୍ତରିତ କରାଯିବ ।

ତେବେ ସୂଚନା ମୁତାବକ, ଆଦିକବି ଶାରଳା ଦାସ ଓଡ଼ିଆ ଅଧ୍ୟୟନ ଚେୟାରର ରୂପାନ୍ତରଣ ପାଇଁ ବିଶ୍ୱବିଦ୍ୟାଳୟ ସ୍ତରରେ ଆଲୋଚନା ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି । ପୂର୍ବରୁ ଏହି ଚେୟାର କେବଳ ଓଡ଼ିଆ ଭାଷାର ଗବେଷଣା ଉପରେ କାର୍ଯ୍ୟ କରୁଥିଲା । ମାତ୍ର ଏବେ ଛାତ୍ରଛାତ୍ରୀମାନେ ସେଠାରେ ପିଜି ଅଧ୍ୟୟନ କରିପାରିବେ । ଏଥିସହିତ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ନୂଆ ନୂଆ କୋର୍ସ ଖୋଲିବ । ଏହାଦ୍ୱାରା ଅଣଓଡ଼ିଆ ପିଲାମାନେ ମଧ୍ୟ ଉପକୃତ ହେବେ ।

ଜେଏନୟୁରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର ସ୍ଥାପନ ନେଇ ରାଜ୍ୟ ସରକାର ସକାରାତ୍ମକ ମନୋଭାବ ପୋଷଣ କରୁଥିବା ଜଣାପଡ଼ିଛି । ତେବେ ଏହି କେନ୍ଦ୍ର କେବେ ଆରମ୍ଭ ହେବ ସେନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ । ସୂଚନାଯୋଗ୍ୟ ଯେ, ଜେଏନୟୁ କ୍ୟାମ୍ପସରେ ତାମିଲ ଚେୟାର ପ୍ରତିଷ୍ଠା କରିବା ପାଇଁ ତାମିଲନାଡ଼ୁ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିଥିବା ଜେଏନୟୁର ପୂର୍ବ ଛାତ୍ରୀ ତଥା ପ୍ରଥମ ମହିଳା କୁଳପତି ପ୍ରଫେସର ଶାନ୍ତିଶ୍ରୀ ଡି ପଣ୍ଡିତ କହିଥିଲେ । ଏଥିସହିତ ଓଡ଼ିଶା, ମହାରାଷ୍ଟ୍ର, ଆସାମ, କର୍ଣ୍ଣାଟକ, ପୁଡ଼ୁଚେରୀ ସରକାର ମଧ୍ୟ ଚେୟାର ସ୍ଥାପନ ନେଇ ଇଚ୍ଛୁକ ରହିଥିବା ମଧ୍ୟ ସେ ମତ ଦେଇଥିଲେ ।

Get real time updates directly on you device, subscribe now.