fbpx

ସ୍କୁଲରେ ମାତିଛି ଭୂତ ଗୁଜବ; ତନ୍ତ୍ର ମନ୍ତ୍ର ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ସ୍କୁଲ ଛାତ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହୋବାର ବିକାଶ ବ୍ଲକ ପନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ମହୁଆର ୧୫ ଜଣ ଛାତ୍ରଛାତ୍ରୀ ବେହୋସ ହେବା ମାମଲାରେ ଏକ ନୂଆ ମୋଡ଼ ଆସିଛି । ଅଭିଭାବକମାନେ ନିଜ ପିଲାମାନଙ୍କୁ ସୁସ୍ଥ କରିବା ପାଇଁ ତନ୍ତ୍ର-ମନ୍ତ୍ର କରୁଛନ୍ତି । ତାନ୍ତ୍ରିକ ଜପ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ତାନ୍ତ୍ରିକ ପିଲାମାନଙ୍କର କେଶ ଧରି ଝଡ଼ାଫୁଙ୍କା କରୁଥିବା ସୂଚନା ମିଳିଛି । ଅଭିଭାବକମାନେ ବିଭିନ୍ନ ପ୍ରକାରର ଆଲୋଚନା କରୁଛନ୍ତି । କେହି କେହି କହୁଛନ୍ତି ଯେ ବିଦ୍ୟାଳୟର ବାଥରୁମ ଖାଲି ପଡ଼ିଛି । ଝରକା ଭାଙ୍ଗି ଯାଇଛି । ଏହି କାରଣରୁ ପିଲାମାନେ ଭୟଭୀତ ହେବା ସ୍ୱାଭାବିକ । କିଛି ଗ୍ରାମବାସୀ ସ୍କୁଲରେ ଭୂତ ରହୁଥିବା ବିଷୟରେ ଚର୍ଚ୍ଚା କରୁଛନ୍ତି ।

ସୂଚନା ଅନୁଯାୟୀ, ଡିସେମ୍ବର ୧୮ ରେ ଜୁନିଅର ହାଇସ୍କୁଲର ଛାତ୍ରଛାତ୍ରୀମାନେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଶିକ୍ଷକମାନେ ପିତାମାତାଙ୍କୁ ଡାକି ଶୀଘ୍ର ପିଲାମାନଙ୍କୁ ଘରକୁ ପଠାଇଥିଲେ । ପିତାମାତାମାନେ ମଧ୍ୟ ସେମାନଙ୍କର ପିଲାମାନଙ୍କୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ, କିନ୍ତୁ ଯେତେବେଳେ ଛାତ୍ରଛାତ୍ରୀମାନେ ସୁସ୍ଥ ହୋଇପାରିନଥିଲେ, ଅଭିଭାବକମାନେ ତନ୍ତ୍ର-ମନ୍ତ୍ର ପ୍ରୟୋଗ କରୁଥିବା କଥା ସାମ୍ନାକୁ ଆସିଛି ।

ଏହି ମାମଲାରେ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଖାଦ୍ୟ ଓ ପାନୀୟ ଯୋଗୁଁ ପିଲାମାନେ ଅସୁସ୍ଥ ହୋଇନାହାଁନ୍ତି । କିନ୍ତୁ ଗାଁରେ ପ୍ରଚାର ହେଉଥିବା ସମସ୍ତ ଗୁଜବ ଯୋଗୁଁ ପିଲାମାନେ ଭୟଭୀତ ହୋଇପଡିଛନ୍ତି । ଭୟଭୀତ ହୋଇ ଛାତ୍ରଛାତ୍ରୀମାନେ ଏପରି ଅସୁସ୍ଥ ହୋଇପଡ଼ିଛନ୍ତି । ତେବେ ଅଭିଭାବକଙ୍କୁ ପରାମର୍ଶ ଦେଇ ସମସ୍ତଙ୍କୁ କାଉନ୍ସିଲିିଙ୍ଗ କରିବାକୁ ପ୍ରୟାସ କରାଯାଉଛି ଏବଂ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଏକ ଆବେଦନ କରାଯାଇଛି ।

Get real time updates directly on you device, subscribe now.