ଅଞ୍ଜଳି ମୃତ୍ୟୁର ଆସିଲା FSL ରିପୋର୍ଟ: ଜାଣନ୍ତୁ ଦିଲ୍ଲୀ ଘଟଣାର ୧୦ଟି ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଗତ ମାସ ୩୧ ତାରିଖ ରାତିରେ ଦିଲ୍ଲୀରେ ଘଟିଥିବା ମର୍ମନ୍ତୁଦ ଘଟଣା ସାରା ଦେଶବାସୀଙ୍କୁ ଚମକାଇ ଦେଇଥିଲା । ଗୋଟିଏ ପଟେ ସାରା ଦେଶବାସୀ ନୂଆ ବର୍ଷକୁ ସ୍ୱାଗତ ଅବସରରେ ପାର୍ଟି, ଉତ୍ସବରେ ମାତିଥିବେ ବେଳେ ଅନ୍ୟପଟେ ଗୋଟିଏ ପରିବାର ଭରଣପୋଷଣ ଦାୟିତ୍ୱ ସମ୍ଭାଳୁଥିବା ଏକ ୨୦ ବର୍ଷୀଆ ଯୁବତୀ ଅଞ୍ଜଳୀ ସିଂହ କାର ତଳେ ଚାପି ହୋଇ ଛଟପଟ ହେଉଥିଲା । ୫ ଜଣ ଯୁବକଙ୍କ କାରର ଚକାତଳେ ଅଞ୍ଜଳି ଯେଉଁ ପରିସ୍ଥିତିରେ ପ୍ରାଣ ହରାଇଥିଲେ ସତରେ ତାହା ବର୍ଣ୍ଣନା କରିବା ଅସମ୍ଭବ । ୧୩ କିମି ପର୍ଯ୍ୟନ୍ତ ଗୋଟିଏ ଝିଅକୁ କାର ଘୋଷାରିନେବା କେଉଁ ବାପା-ମାଆଙ୍କ ହୃଦୟ ସହିବ? ପ୍ରଥମେ ଏହି ଘଟଣାଟି ସାମାନ୍ୟ ଲାଗୁଥିଲେ ହେଁ ତଦନ୍ତରୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି ।

୧- ଫୋରେନସିକ ଲ୍ୟାବ ରିପୋର୍ଟ ମୁତାବକ, ଅଞ୍ଜଳି କାରର ବାମପଟେ ଆଗ ଚକାରେ ଫଶିଥିଲେ । କାରର ଆଗ ଚକାରେ ଅଧିକ ରକ୍ତ ଲାଗିଥିବା ଜଣାପଡ଼ିଛି ।

୨- ପୋଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

୩- ଅଞ୍ଜଳିଙ୍କ କେସରେ ଅଭିଯୁକ୍ତ ଦୀପକଙ୍କ ପରିବାର ଘର ଛାଡ଼ି କୁଆଡ଼େ ପଳାଇ ଯାଇଛନ୍ତି ।

୪- ଘୋଷାରି ହୋଇ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି ।

୫- ଅଞ୍ଜଳି ତାଙ୍କର ବୟଫ୍ରେଣ୍ଡ ସହ ଝଗଡ଼ା କରିଥିବା ଅଞ୍ଜଳିଙ୍କ ସାଙ୍ଗ ବୟାନ ଦେଇଛନ୍ତି । ଦୁହେଁ ରାତି ୨ଟା ସମୟରେ ଘରକୁ ଫେରୁଥିଲେ । ଅଞ୍ଜଳି ବହୁତ ନିଶାରେ ଥିଲେ ।

୬- ରାସ୍ତାରେ ହଠାତ୍ କାର ସ୍କୁଟିକୁ ଟକ୍କାର ମାରିଥିଲା । ଅଞ୍ଜଳି କାର ତଳେ ଫସିଥିବା ବେଳେ ତାଙ୍କର ସାଙ୍ଗ ତଳେ ପଡ଼ିଯାଇଥିଲେ । ମାତ୍ର କାର ଚାଳକ ଜାଣିଶୁଣି ଗାଡ଼ି ରଖିନଥିଲେ ।

୭- ଅଞ୍ଜଳି ତାଙ୍କର ବୟଫ୍ରେଣ୍ଡ ସହ ଝଗଡ଼ା କରିଥିବା ନେଇ ପାର୍ଟି ଆୟୋଜନ କରିଥିବା ହୋଟେଲର ମ୍ୟାନେଜର କରିଛନ୍ତି ।

୮- ଅଭିଯୁକ୍ତ ଦୀପକ ଖନ୍ନା ଓ ଅମିତ ଖନ୍ନା ନିଜର ବନ୍ଧୁ ଆଶୁତୋଷଙ୍କଠାରୁ କାର ନେଇଥିଲେ । ଗାଡ଼ି ଚଳାଉଥିବା ଦୀପକ ମଦ୍ୟପାନ କରିଥିଲେ ।

୯- ବହୁ ସମୟ ଧରି ଅଞ୍ଜଳି କାର ତଳେ ଫସି ରହିଥିଲେ ହେଁ କାରରେ କେହି କିପରି ଏହା ଜାଣିପାରିଲେ ନାହିଁ ତାହା ଏକ ବଡ଼ ପ୍ରଶ୍ନ ।

୧୦- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୀଡ଼ିତାଙ୍କ ପରିବାରଙ୍କୁ ୧୦ ଲକ୍ଷର ଆର୍ଥିକ ସହାୟତା ନେଇ ଘୋଷଣା କରିଛନ୍ତି ।