ଯୋଶୀମଠ ଅଞ୍ଚଳରେ ମାଟି ଧସୁଛି କାହିଁକି: ଭୂମି ଓ ଘର ଫାଟୁଛି କାହିଁକି, କ’ଣ ରହିଛି ବିଶେଷଜ୍ଞଙ୍କ ମତାମତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଏକ ଛୋଟ ସହର ହେଉଛି ଯୋଶୀମଠ । ହିମାଳୟର ପାଦଦେଶରେ ଅବସ୍ଥିତ ଏହି ସହରର ଜନସଂଖା ଓ ନିର୍ମାଣ କାର୍ଯ୍ୟ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ବାରମ୍ବାର କମ୍ପନ ସାଙ୍ଗକୁ ଭୂସ୍ଫଳନ ହେବା ଉଭୟ ସ୍ଥାନୀୟ ବାସିନ୍ଦା ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଠରେ ପ୍ରଶ୍ନ ଉଠୁଛି ଯୋଶୀମଠରେ ଏହି ଭୟଙ୍କର ପରିସ୍ଥିତି ଦେଖାଦେବା ପଛର କାରଣ କ’ଣ ହୋଇପାରେ ।

ତେବେ ଯୋଶୀମଠର ସମସ୍ୟା ନେଇ ହିମାଳୟ ଭୂ-ବିଜ୍ଞାନ ଉପରେ ଗବେଷଣା ଚଳାଇଥିବା ଏଚଏନବି ଗରବାଲ ବିଶ୍ୱବିଦ୍ୟାଳୟର ପ୍ରଫେସର ୟଶପାଲ ସୁନ୍ଦରୀୟାଲ ଚିନ୍ତା ପ୍ରକଟ କରିଛନ୍ତି । ସେ ଏ ବାବଦରେ କିଛି ପ୍ରଶ୍ନ ଉଠାଇବା ସହ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରଫେସର ୟଶପାଲ ଗତ ୩୫ ବର୍ଷରୁ ଅଧିକ ସମୟ ଧରି ହିମାଳୟ ଭୂ-ବିଜ୍ଞାନ ଉପରେ ରିସର୍ଚ୍ଚ ଚଳାଇ ଆସିଛନ୍ତି ।

ପ୍ରଫେସର କହିଛନ୍ତି, ପାହାଡ଼ର ଅଧିକାଂଶ ଗ୍ରାମ ଓ ସହର ଭୂସ୍ଖଳନର ମାଟି ବା ସ୍ଲୋପରେ ତିଆରି ହୋଇଛି । ଯୋଶୀମଠରେ ଯେଉଁ ଦ୍ରୁତ ଭାବେ ଭାବେ ବିକାଶ କାର୍ଯ୍ୟ ହେଉଛି, ତାହା ଅନେକ ବର୍ଷ ଧରି ସମସ୍ୟାରେ ପରିଣତ ହୋଇଛି । ନିକଟରେ ଦେଖାଦେଇଥିବା ସମସ୍ୟାକୁ ନେଇ ସରକାର ସଜାଗ ହେବା ସହିତ ଆକ୍ସନ ମୋଡ଼କୁ ଆସିବା ଦରକାର । ଯୋଶୀମଠରେ ଭୂପୃଷ୍ଠରେ ଚଟାଣ କମ ଓ ମାଟି ଅଧିକ ରହିଛି । ଖରାପ ପାଣି ଓ ସ୍ୱେରେଜ ପରିଚାଳନା କାରଣରୁ ଯୋଶୀମଠରେ ଭିତ୍ତିଭୂମି ଦୁର୍ବଳ ହେବାରେ ଲାଗିଛି ।

ଏନଟିପିସିର ବିଷ୍ଣୁ ଗରୁଡ଼ ପ୍ରୋଜେକ୍ଟ କାର୍ଯ୍ୟରେ ଟନେଲରେ ବିସ୍ଫୋରଣ କରାଯାଉଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ, ଏହା କୃତ୍ରିମ ଭୂକମ୍ପ ସୃଷ୍ଟି କରିବାର ସାମର୍ଥ୍ୟ ରଖିଥାଏ । ଯୋଶୀମଠରେ ବହୁ ଉଚ୍ଚତମ କୋଠା ତିଆରି କରିବାର ସ୍ୱୀକୃତି ଦିଆଯିବା ପରିତାପର ବିଷୟ । ସରକାର ପୀଡ଼ିତଙ୍କୁ ସହାୟତା ପ୍ରଦାନ କରି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ପ୍ରୟାସ କରୁଛନ୍ତି । ଯୋଶୀମଠରେ ବଡ଼ ଧରଣର ନିର୍ମାଣ ହେବ ନାହିଁ ବୋଲି ପୂର୍ବତନ ଗରୱାଲ କମିସନର ଜିସି ମିଶ୍ର ନିଜ ରିପୋର୍ଟରେ କହିଥିଲେ । ଏହାପରେ ବି ସେଠାରେ ଏନଟିପିସି ଓ ହେଲଙ୍ଗ-ମାଲବାଡ଼ି ବାଇପାସ ତିଆରି ହେଉଛି । ଉତ୍ତରାଖଣ୍ଡ ସରକାର ନିୟମ ଅନୁଯାୟୀ କାର୍ଯ୍ୟ କରିବା ଦରକାର । ସ୍ଥିତି ଖରାପ ହେବା ପରେ ଆକ୍ସନକୁ ଆସିବା ଅଭ୍ୟାସ ଛାଡ଼ିବା ଦରକାର ବୋଲି ପ୍ରଫେସର ୟଶପାଲ କହିଛନ୍ତି ।