fbpx

ମାଗଣା ଚାଉଳ ବଣ୍ଟନ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ

ନୂଆଦିଲ୍ଲୀ,୧୨ା୧: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ର ସରକାର ଯେଉଁ ମାଗଣା ଚାଉଳ ବଣ୍ଟନ କରୁଛନ୍ତି ସେହି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରଖାଯାଇଛି। କୋଭିଡ଼ ସମୟରେ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସକୁ ୫ କେଜି ଲେଖାଏଁ ଚାଉଳ ମାଗଣା
ଦିଆଯାଉଥିଲା।

ତେବେ ଗତ ଜାନୁଆରୀ ୧ ତାରିଖରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁ ଚାଉଳ ଏକ ଟଙ୍କାରେ ମିଳୁଥିଲା ତାକୁ ସମ୍ପୂର୍ଣ୍ଣ ମାଗଣା କରି ଦିଆଯାଇଛି। ଏହି ଯୋଜନାରେ ଦିଆଯାଉଥିବା ଚାଉଳ ମୂଲ୍ୟ କିଲୋ ପିଛା ୩୨ ଟଙ୍କା ୯୧ ପଇସା ଥିବାବେଳେ ସେଥିରୁ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ୭୬ ପଇସା ଓ ହିତାଧିକାରୀ ୧ ଟଙ୍କା ଦେଉଥିଲେ। ଏଣିକି ସବୁ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଏହି ଯୋଜନା ଫଳରେ ଓଡ଼ିଶାର ୩ କୋଟି ୨୪ ଲକ୍ଷ ୫୭୪ ଲୋକ ଉପକୃତ ହେବେ।

ଏଣିକି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଉଠାଇବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍। ଏହି ରସିଦ୍ ଦେବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି ଅତିରିକ୍ତ ଚାଉଳ ଦେଉଥିବେ ତେବେ ଏହାର ଅଲଗା ରସିଦ୍ ପ୍ରସ୍ତୁତ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯଦି କେନ୍ଦ୍ର ପକ୍ଷରୁ ଚାଉଳ ଦିଆଯାଉଛି ତାହେଲେ ହିତାଧିକାରୀଙ୍କୁ ଦିଆଯାଉଥିବା ଥିବା ରସିଦ୍‌ରେ ସ୍ପଷ୍ଟ ଭାବେ ଏହା କେନ୍ଦ୍ର ସରକାରଙ୍କ ମାଗଣା ଯୋଜନା ବୋଲି ଉଲ୍ଲେଖ ରହିବ। ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍‌ସିଡି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.