କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧରୀ ଆଉ ନାହାନ୍ତି: ଭାରତ ଯୋଡ଼ୋ ଯାତ୍ରା ସମୟରେ ଆସିଲା ହାର୍ଟ ଆଟାକ୍

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ଦେହାନ୍ତ ହୋଇଥିବା ବେଳେ ରାଜନୈତିକ ଜଗତରୁ ଆସିଛି ପୁଣି ଏକ ଦୁଃଖଦ ଖବର । କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧରୀଙ୍କ ପରଲୋକ ଘଟିଛି । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପରିଚାଳିତ ଭାରତ ଯୋଡ଼ୋ ଯାତ୍ରା ସମୟରେ ଏହି ଅଘଟଣ ଘଟିଛି । ଯାତ୍ରା ସମୟରେ ହଠାତ୍ ଶ୍ରୀ ଚୌଧରୀଙ୍କୁ ହାର୍ଟ ଆଟାକ୍ ଆସିଥିଲା ।

ସୂଚନା ମୁତାବକ, ପଞ୍ଜାବରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବା ସମୟରେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ରାହୁଲଙ୍କ ସହିତ ପଦଯାତ୍ରା କରୁଥିବା ସମୟରେ ହଠାତ୍ ତାଙ୍କର ହୃଦ ସ୍ପନ୍ଦନ ବଢ଼ିବାରେ ଲାଗିଥିଲା । ସନ୍ତୋଖ ଜଳନ୍ଧରର ସାଂସଦ ଥିଲେ । ଯାତ୍ରା ସମୟରେ ହଠାତ୍ ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଜି ସକାଳ ୭ଟାରେ ଲୁଧିଆନାର ଲୋଡ଼ୋବାଲଠାରୁ ରାହୁଲଙ୍କ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ସକାଳ ୧୦ଟା ସୁଦ୍ଧା ଜଳନ୍ଧରର ଗୋରାୟାରେ ପହଞ୍ଚିବାର ଥିଲା । ମାତ୍ର ଯାତ୍ରା ସମାପ୍ତ ପୂର୍ବରୁ ମହାଯାତ୍ରାରେ ସାମିଲ ହୋଇଯାଇଛନ୍ତି ସନ୍ତୋଖ । ତେବେ ସନ୍ତୋଖଙ୍କ ଦେହାନ୍ତ ପରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଯାତ୍ରା ବାବଦରେ କଂଗ୍ରେସ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ସନ୍ତୋଖଙ୍କ ମୃତ୍ୟୁ ପରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଏଥିସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହିତ ଦେଶର ବହୁ ରାଜନେତା ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।